ଭୁବନେଶ୍ୱର – ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଆୟୋଜିତ ହୋଲି ମିଳନ ତଥା ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳିତ ହୋଇଯାଇଛି ।
ସ୍ଥାନୀୟ ରାମ ମନ୍ଦିର ପରିସରରେ ‘ପ୍ରୟାସ’ ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ୍ଜୀବୀ ବନବିହାରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତା୍ୱବଧାନରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ୧୩ତମ ହୋଲି ମିଳନ ଓ ପାରମ୍ପରିକ ଦହିହାଣ୍ଡି ଭଙ୍ଗା ଉତ୍ସବର ଆୟୋଜନ ହୋଇଥିଲା । ସେଥିରେ ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ନବ କୁମାର ବେହେରା, ଦୈନିକ ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ‘ଓଡ଼ିଶା ଭାସ୍କର’ର ବାର୍ତା ସମ୍ପାଦକ କୌସ୍ତୁଭ ଦାସ, ବରିଷ୍ଠ ସମ୍ବାଦିକ ବୈଷ୍ଣବ ଦାସ, ସମାଜସେବୀ ସିପ୍ରା ଇରା, ଦୁଇନମ୍ବର ସେଂଟ୍ରାଲ ମାର୍କେଟ ଆସୋସିଏସନର ରବିନାରାୟଣ ମହାନ୍ତି, ବିଶିଷ୍ଟ ନାଟ୍ୟକାର ଲାଲା ବୀରେନ ରାୟ ପ୍ରମୁଖ ଯୋଗ ଦେଇଥିଲେ ।
ଉତ୍ସବରେ ସାମିଲ ହୋଇଥିବା ହୋଲିପ୍ରେମୀମାନଙ୍କୁ ବକ୍ତାମାନେ ଉଦ୍ବୋଧନ ଦେଇ କହିଲେ ଯେ, ସାଂସ୍କୃତିକ ଭାବନା ଓ ଉତ୍ସବ ପାଳନ ହେଉଛି ଭାରତୀୟମାନଙ୍କର ଅସ୍ଥିମଜ୍ଜାଗତ । ଏଥିପାଇଁ କୌଣସି ପ୍ରତିବନ୍ଧକକୁ ସେମାନେ ଖାତିର କରନ୍ତି ନାହିଁ । ପ୍ରତିବର୍ଷ ସେମାନେ ହୋଲିରେ ଭାଇଚାରାର ପ୍ରଦର୍ଶନ କରି ଆସୁଛନ୍ତି ।
ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଦହିହାଣ୍ଡି ଭଙ୍ଗା ଉତ୍ସବ ବେଶ ଆକର୍ଷଣୀୟ ହୋଇଥିଲା । କେବଳ ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହାତକୁ ହାତ ଧରି ମାନବ-ପିରାମିଡ଼ ନିର୍ମାଣ ମାଧ୍ୟମରେ ତାହାକୁ ସୁଦୃଶ୍ୟ କରିଥିବା ବେଳେ ଦହି ହାଣ୍ଡି ଭାଙ୍ଗିଥିଲେ ତ୍ରିବେଣୀ ନାୟକ । ଏଥିରେ ପାରମ୍ପରିକ ସଙ୍ଗୀତ ଗାନ କରାଯିବା ସହିତ ଆଧୁନିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କୌଣସି ରାସାୟନିକ ରଙ୍ଗ ସେଥିରେ ବ୍ୟବହାର କରାଯାଇନଥିଲା । ହଳଦୀ ଓ ଚନ୍ଦନ ସହିତ ଅବିର କେବଳ ବ୍ୟବହାର କରାଯାଇଥିଲେ ।