ନୂଆଦିଲ୍ଲୀ – ଗତ ତିନି ଆର୍ôଥକ ବର୍ଷରେ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ଆବଂଟିତ ଅର୍ଥ ଖର୍ଚ୍ଚ ହୋଇପାରି ନଥିବା କାରଣରୁ ଗଭୀର ଉଦବେଗ ପ୍ରକାଶ କରିଛି ସଂସଦୀୟ ସ୍ଥାୟୀ ସମିତି । ବଜେଟ୍ରେ ଆବଂଟନ କରାଯାଇଥିବା ଅର୍ଥକୁ ବିବେକପୂର୍ଣ୍ଣ ଉପାୟରେ ଖର୍ଚ୍ଚ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଏକ ରଣନୀତି ତିଆରି କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଏହି ସମିତି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ସୁପାରିଶ କରିଛି ।
ମାନବ ସମ୍ବଳ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ ସମିତି ଏହି ସୁପାରିଶରେ କହିଛି ଯେ, ଯଦି ବିଭାଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ଲାଗୁଛି ଯେ, ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ, ତେବେ ତା’ ନିକଟରେ ଅତିରିକ୍ତ କାର୍ଯ୍ୟକ୍ରମ ରହିବା ଦରକାର ଯାହାକୁ ସମର୍ଥ ଅଧିକାରୀମାନଙ୍କର ଅନୁମୋଦନ କ୍ରମେ ଅର୍ଥ ଦିଆଯାଇ ପାରିବ । ଏହି ଯୋଜନା ଯେଉଁ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆରମ୍ଭ କରାଯାଇଥିଲା ତାକୁ ପୂରଣ କରିବା ପାଇଁ ସନ୍ତୁଳିତ ଉପାୟରେ ଅର୍ଥର ଆବଂଟନ କରାଯିବା ଉଚିତ୍ ବୋଲି ସମିତି ତା’ର ପରାମର୍ଶରେ କହିଛି ।
ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କୁ ପ୍ରତି ଛାତ୍ର ୧୦୦ ଗ୍ରାମ ଶସ୍ୟ, ୨୦ଗ୍ରାମ ଡାଲି, ୫୦ଗ୍ରାମ ପରିବା, ୫ଗ୍ରାମ ତେଲର ବ୍ୟବସ୍ଥା ରହିଛି । ଏଥିରେ ୪୫୦ କ୍ୟାଲୋରୀ ଶକ୍ତି ଓ ୧୨ ଗ୍ରାମ ପ୍ରୋଟିନ୍ ପ୍ରଦାନ କରାଯାଇ ପାରିବ । ସେହିପରି ଉଚ୍ଚ ପ୍ରାଥମିକ ଛାତ୍ରମାନଙ୍କ ପାଇଁ ୧୫୦ ଗ୍ରାମ ଶସ୍ୟ, ୩୦ ଗ୍ରାମ ଡାଲି, ୭୫ଗ୍ରାମ ପରିବା, ୭.୫ ଗ୍ରାମ ତେଲର ବ୍ୟବସ୍ଥା ରହିଛି । ଏଥିରୁ ୭୦୦ କ୍ୟାଲୋରୀ ଶକ୍ତି ଓ ୨୦ ଗ୍ରାମ ପ୍ରୋଟିନ ମିଳିପାରିବ ।