ନୂଆଦିଲ୍ଲୀ – କେନ୍ଦ୍ରୀୟ ଗୁଇନ୍ଦା ପୋଲିସଙ୍କ ଇନପୁଟ୍ ଆଧାରରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଇସଲାମିକ ଷ୍ଟେଟ ଅଫ ଖରାସାନ ପ୍ରୋଭିଂଜ(ଆଇଏସକେପି) ସହ ଜଡ଼ିତ କାଶ୍ମୀର ଦମ୍ପତିଙ୍କୁ ଗିରଫ କରିବା ପରେ ଆଜି ଜଣେ ପିଏଫଆଇ ସହ ଜଡ଼ିତ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ ଦାନିସ୍ ଓ ସେ ଉତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ସମ୍ପୃକ୍ତ ଥିବା କୁହାଯାଉଛି । ବର୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ବ୍ୟତୀତ ଏନଆଇଏ ମଧ୍ୟ ଅଭିଯୁକ୍ତଙ୍କୁ ପଚରା ଉଚୁରା କରୁଛି ।
ସ୍ପେଶାଲ ସେଲ୍ ଦ୍ୱାରା ଗିରଫ କରାଯାଇଥିବା ଜାହାନ ଜେବ ସାମି ଓରଫ ଦାଉଦ ଇବ୍ରାହିମ(୩୬) ଓ ତା’ର ପତ୍ନୀ ବସିର ବେଗ(୩୯)କୁ ଗିରଫ ପରେ ସ୍ପେଶାଲ ସେଲ କହିଛି ଯେ ଏହି ଦୁଇଜଣ ପ୍ରଦର୍ଶନକାରୀମାନଙ୍କୁ ଉତେଜିତ କରି ବଡ଼ ଆତଙ୍କବାଦୀ ଘଟଣା କରିବାର ଯୋଜନା କରୁଥିଲେ । ଏହି ଦମ୍ପତି ଗତ ଅଗଷ୍ଟ ମାସରୁ ଜାମିଆ ନଗର ଅଂଚଳରେ ରହୁଥିଲେ ଓ ସିଏଏ ଓ ଏନଆରସି ବିରୁଦ୍ଧରେ ପ୍ରଦର୍ଶନକାରୀମାନଙ୍କୁ ଲଗାତାର ଉସକାଇ ଫିଦାଇନ୍ ଆକ୍ରମଣ କରିବାପାଇଁ ଚେଷ୍ଟା କରୁଥିଲେ । ଏହାବ୍ୟତୀତ ଏହି ଦମ୍ପତି ସୋସିଆଲ ମିଡିଆରେ ଇଣ୍ଡିଆନ ମୁସଲିମ ୟୁନାଇଟେଡ ନାମକ ଏକ ପେଜ୍ ତିଆରି କରି ସିଏଏ ଆଇନ୍ ବିରୁଦ୍ଧରେ ଲୋକମାନଙ୍କୁ ଯୋଡ଼ୁଥିଲେ । ଉଭୟଙ୍କ ସମ୍ପର୍କ ପାକିସ୍ଥାନ ଓ ଆଫଗାନିସ୍ଥାନରେ ସକ୍ରିୟ ଆଇଏସଆଇଏସ ସହ ଜଡ଼ିତ ଇସଲାମିକ ଷ୍ଟେଟ ଅଫ ଖରାସାନ ପ୍ରୋଭିଂଜ(ଆଇଏସକେପି) ସହିତ ରହିଛି ।
ଦିଲ୍ଲୀ ପୋଲିସ ଡିସିପି ପ୍ରମୋଦ କୋସୱାହା କହିଛନ୍ତି ଯେ, ପଚରା ଉଚୁରାବେଳେ ଜଣାପଡ଼ିଛି ଯେ ସେମାନେ ଲଗାତାର ଭାବେ ଅଣ ମୁସଲମାନମାନଙ୍କୁ ହତ୍ୟା କରିବା ପାଇଁ ଉସ୍କାଉଥିଲେ ।