
କଟକ – ଆନ୍ତଜାତିକ ମହିଳା ଦିବସ ଅବସରରେ ପୋଲିସ, ଅଖିଳ ଭାରତୀୟ ସ୍ତ୍ରୀ ରୋଗ ମହାସଂଘ ଏବଂ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତୀ ସଂଘ, କଟକଙ୍କ ଆନୁକୂଲ୍ୟରେ ମହିଳା ପୋଲିସ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟାଙ୍କ ପାଇଁ ସ୍ତନ ଓ ଜରାୟୁ କର୍କଟ ସଚେତନତା ଏବଂ ଚିହ୍ନଟ ଶିବିର ଆଜି ପୂର୍ବାହ୍ନରେ ବକ୍ସିବଜାରସ୍ଥ ରିଜର୍ଭ ପୋଲିସ ଲାଇନରେ ଥିବା ପୋଲିସ ଚିକିତ୍ସାଳୟ ଠାରେ ଆୟୋଜିତ ହୋଇଯାଇଅଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମୀ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଏହି ସ୍ୱତନ୍ତ୍ର ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ଏକଶହରୁ ଉର୍ଦ୍ଧ୍ୱ ମହିଳା ପୋଲିସ ଓ ପୋଲିସ ପରିବାରର ସଦସ୍ୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଉପଶମ କରାଯାଇଥିଲା । ଏହି ଶିବିରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୁଖ୍ୟ ଡା. ତୁଷାର କର, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ପ୍ରଫେସର ଡା. ସୁଶିଲ ଗିରି, ଆସୋସିଏଟ ପ୍ରଫେସର ଡା. ଜନ୍ମେଜୟ ମହାପାତ୍ର, ଡା. ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୁଖ୍ୟ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମହିଳା ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ ଯେ ଏହି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା ପୋଲିସ ରାଜ୍ୟବ୍ୟାପୀ ୩୭ଟି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରିଅଛି । ଅଖିଳ ଭାରତୀୟ ସ୍ତ୍ରୀ ରୋଗ ମହାସଂଘ ଏହି ଶିବିର ଆୟୋଜନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବାଟାଲିୟନରେ ଥିବା ପୋଲିସ ଚିକିତ୍ସାଳୟରେ ଏହି ଶିବିର ସବୁ ଆୟୋଜନ କରାଯାଇ ସ୍ତନ ଓ ଜରାୟୁ କର୍କଟ ନିରୂପଣ ପରୀକ୍ଷା କରାଯିବା ସହ ମହିଳାଙ୍କ ବ୍ଲଡ଼ ସୁଗାର, ହିମୋଗ୍ଲୋବିନ ଓ ବ୍ଲଡ଼ପ୍ରେସର ପରୀକ୍ଷା କରାଯାଇଥିଲା । ସାରା ରାଜ୍ୟରେ ଅନ୍ୟୁନ ୫୦୦୦ ମହିଳା ପୋଲିସ ଏବଂ ପୋଲିସ ପରିବାରର ମହିଳା ସଦସ୍ୟାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଲାଭ ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଲବର ବହୁ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।