ନୂଆଦିଲ୍ଲୀ: ଦୀର୍ଘ ୨୦ ଘଣ୍ଟାର ଜେରା ପରେ ଶେଷରେ ରବିବାର ସକାଳେ ୟେସ୍ ବ୍ୟାଙ୍କର ସହ ସଂସ୍ଥାପକ ରାଣା କପୁରଙ୍କୁ ଗିରଫ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ମିଳିଥିବା ସୂଚନା ଅନୁଯାୟୀ ଇଡି ଦିଓ୍ଵାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ୍(ଡିଏଚଏଫଏଲ) ସହ ଜଡିତ ଆର୍ଥିକ ଅନିୟମିତତା ମାମଲାରେ ରାଣା କପୁରଙ୍କୁ ଗିରଫ କରାଯାଇଛି । ଇଡିର ଅଧିକାରୀ ତାଙ୍କୁ ପାଖାପାଖି ୨୦ ଘଣ୍ଟାରୁ ଅଧିକ ସମୟ ପଚରା ଉଚୁରା କରିବା ପରେ ଗିରଫ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଇଡି ରାଣା କପୁରଙ୍କୁ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ କୋର୍ଟରେ ହାଜର କରିବ । ଅନ୍ୟପକ୍ଷରେ ଇଡି ଏହାକୁ ନେଇ ତଦନ୍ତ କରୁଛି ଯେ, କଣ ୟେସ୍ ବ୍ୟାଙ୍କ ପ୍ରମୋଟର ରାଣା କପୁର ଓ ତାଙ୍କର ଦୁଇ ଝିଅଙ୍କ ନାମରେ ଥିବା କମ୍ପାନୀ ଅର୍ବାନ ବେଞ୍ଚର୍ସକୁ ଘୋଟାଲା କରିଥିବା ବ୍ୟକ୍ତିଙ୍କଠୁ ୬୦୦ କୋଟି ଟଙ୍କା ମିଳିଥିଲା । ସୂତ୍ର ମୁତାବକ, ଇଡି ଏହାର ମଧ୍ୟ ଯାଞ୍ଚ କରୁଛି ଯେ, କଣ ଦୁର୍ନୀତିରେ ଲିପ୍ତ ଡିଏଚଏଫଏଲ କମ୍ପାନୀ ୟସ୍ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ୪,୪୫୦ କୋଟି ଟଙ୍କାର ଋଣ ବଦଳରେ କପୁରଙ୍କ ଝିଅଙ୍କ ଡମି କମ୍ପାନୀକୁ ଅର୍ଥ ଦେଇଥିଲା । ଇଡି ଅଧିକାରୀ କହିଛନ୍ତି ବ୍ୟାଙ୍କ ଡିଏଚଏଫଏଲକୁ ୩,୭୫୦ କୋଟି ଟଙ୍କାର ଋଣ ଦେବା ସହିତ ଡିଏଚଏଫଏଲ ଦ୍ୱାରା ନିୟନ୍ତ୍ରିତ ଫର୍ମ ଆରକେଡବ୍ଲ୍ୟୁ ଡେଭଲପର୍ସକୁ ମଧ୍ୟ ୭୫୦ କୋଟି ଟଙ୍କାର ଆଉ ଏକ ଲୋନ୍ ଦେଇଥିଲା ।
ଅଧିକାରୀଙ୍କ ଅନୁଯାୟୀ ଯେବେ ଏହି ଦୁଇ କମ୍ପାନୀ ଋଣ ପରିଶୋଧ କଲେ ନାହିଁ, ଏହା ପରେ ବି ୟେସ୍ ବ୍ୟାଙ୍କ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହି ମାମଲାରେ ଇଡିର କପୁର ଓ ତାଙ୍କ ଦୁଇ ଝିଅଙ୍କ ଉପରେ ସନ୍ଦେହ ରହିଛି । କାରଣ କପୁରଙ୍କ ଝିଅ ଅର୍ବାନ ବେଂଚର୍ସର ନିର୍ଦ୍ଦେଶକ । କମ୍ପାନୀ ଉପରେ ଯେମିତି କାର୍ଯ୍ୟାନୁଷ୍ଠାନ ନହୁଏ ଡିଏଚଏଫଏଲ କପୁର ଓ ତାଙ୍କ ଦୁଇ ଝିଅଙ୍କୁ ମୋଟା ଅଙ୍କର ଲାଂଚ ଦେଇଥିଲା । ଉଲ୍ଲେଖନୀୟ, ଇଡି ବର୍ଲି ସ୍ଥିତ ରାଣା କପୁରଙ୍କ ସମୁଦ୍ର ମହଲ ବାସଭବନରେ ନିଜର ତଦନ୍ତ ଜାରି ରଖିଛି ।