ନୂଆଦିଲ୍ଲୀ/ମୁମ୍ବାଇ- ଗତ ଦୁଇ ଦିନ ହେବ ରିଜର୍ଭ ବ୍ୟାଙ୍କର ଗାଇଡ୍ ଲାଇନ ପରେ ସଙ୍କଟରେ ଥିବା ୟେସ୍ ବ୍ୟାଙ୍କରଖାତାଧାରକଙ୍କ ଲାଗି ଆଶ୍ୱସ୍ତିକର ଖବର ଆସିଛି । ୟେସ୍ ବ୍ୟାଙ୍କ ପକ୍ଷରୁ ବିଳମ୍ବିତ ରାତ୍ରିରେ ଏକ ଟୁଇଟ୍ କରାଯାଇ କୁହାଯାଇଛି ଯେ, ଗ୍ରାହକ ଏବେ କୌଣସି ବି ଏଟିଏମରୁ ଟଙ୍କା କାଢି ପାରିବେ । ଜମାକାରୀଙ୍କ ଧୈର୍ଯ୍ୟର ପ୍ରଶଂସା କରି ବ୍ୟାଙ୍କ କହିଛି ଯେ, ଏବେ ୟେସ୍ ବ୍ୟାଙ୍କର ଜମାକାରୀ ଏଟିଏମ କାର୍ଡ ଜରିଆରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ମଧ୍ୟ ପଇସା କାଢି ପାରିବେ । ଏହା ପୂର୍ବରୁ ବ୍ୟାଙ୍କ ଏହି ସୁବିଧା ପ୍ରତ୍ୟାହାର କରି ନେଇଥିଲା । ଉଲ୍ଲେଖନୀୟ ଆରବିଆଇ ଜମାକାରୀଙ୍କ ଲାଗି ଗୋଟିଏ ମାସରେ ଟଙ୍କା ଉଠାଣ ସୀମା ୫୦ ହଜାର ଟଙ୍କା କରିଛି ।
ସଂପ୍ରତି ୟେସ୍ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହି ବ୍ୟାଙ୍କକୁ ବଂଚାଇବାକୁ ଯଥା ସମ୍ଭବ ଉଦ୍ୟମ କରୁଛି । ଏହି ଆଧାରରେ ଏସବିଆଇର ଚେୟାରମ୍ୟାନ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବାକୁ ଘୋଷଣା କରିଛନ୍ତି ଏବଂ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛନ୍ତି । ଚେୟାରମ୍ୟାନ ରଜନୀଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଅର୍ଥ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ଏହା ସହିତ ବ୍ୟାଙ୍କ କର୍ମଚାରୀଙ୍କ ଚାକିରି ମଧ୍ୟ ସୁରକ୍ଷିତ ରହିଛି । ମାତ୍ର ଚଳିତ ବର୍ଷ ସେମାନଙ୍କର ଦରମାରେ କୌଣସି ବୃଦ୍ଧି ଘଟିବ ନାହିଁ ବୋଲି ଏସବିଆଇ ଚେୟାରମ୍ୟାନ କହିଛନ୍ତି । ଏହି ଯୋଜନା ଉପରେ ଏସବିଆଇ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି ।