ଅହମ୍ମଦାବାଦ/ଭୁଜ– ଗୁଜରାଟରେ କଚ୍ଛ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । କଚ୍ଛ ସୀମାବର୍ତୀ ଅଂଚଳରେ ସେନାର ଗୁଇନ୍ଦାଗିରି କରୁଥିବା ଆରୋପରେ କଚ୍ଛ ଏସଓଜି ପୋଲିସ ଜଣେ ନାବାଳିକ ସହିତ ଚାରି ଜଣଙ୍କୁ ରବିବାର ଗିରଫ କରିଛି । ଏହା ସହିତ ସେମାନଙ୍କଠାରୁ କ୍ୟାମେରା ଓ ମୋବାଇଲ ଜବତ କରାଯାଇଛି । ନଲିଆ ଏୟାରବେସର ସୂଚନା ପାକିସ୍ତାନକୁ ଦେଇଥିବା ନେଇ ଏହି ଚାରି ଜଣଙ୍କ ବିରୋଧରେ ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, ଆରୋପି ଦୀର୍ଘ ଦିନରୁ ପାକିସ୍ତାନକୁ ସୂଚନା ପଠାଇ ଆସୁଥିଲେ । ବାୟୁସେନାର ଅଧିକାରୀ ନଲିଆର ମଥୁଲା ଏୟାରବେସର ଫଟୋ ଓ ଭିଡ଼ିଓ କରିବା ଆରୋପରେ ଏହି ଚାରି ଜଣଙ୍କୁ ଧରିଥିଲା । କ୍ୟାମେରା ମୋବାଇଲ ଓ ଫଟୋ ସହିତ ଆରୋପିଙ୍କୁ ନଲିଆ ପୋଲିସ ଷ୍ଟେସନ ଅଣାଯାଇଛି । ପଶ୍ଚିମ କଚ୍ଛର ଆରକ୍ଷୀ ଅଧିକ୍ଷକ ସୌରଭ ତୋଲମ୍ବିଆ କହିଛନ୍ତି, ଅଧିକୃତ ଗୁପ୍ତ ଅଧିନିୟମ ଆଧାରରେ ଚାରି ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଚାରି ଆରୋପି ଭାରତୀୟ ସେନାର ପ୍ରତିବନ୍ଧିତ କ୍ଷେତ୍ରର ଫଟୋ ଉତୋଳନ କରିଥିଲେ । ଏସଓଜି ପୋଲିସ ମାମଲାର ଯାଂଚ କରୁଛି ।
ଗତ ଜାନୁଆରୀ ମାସରେ ମୁଥଲା ଏୟାରବେସ ନିକଟରୁ ଏକ ପ୍ରତିବନ୍ଧିତ କ୍ଷେତ୍ରରେ ଚାରି ଜଣ କ୍ୟାମେରା ଓ ମୋବାଇଲ ଜରିଆରେ ଭିଡିଓ ଓ ଫଟୋ ଉତୋଳନ କରୁଥିଲେ । ନଲିଆ ପୋଲିସ ଷ୍ଟେସନ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି । ଚାରି ଆରୋପି ହେଉଛନ୍ତି ରଫିକ ମହମ୍ମଦ ଆଜମ, ଅରବାଜ ଇସଲାମ ଉମରା, ଅବାସ ଦାଉଦ ପଢିଆର ଓ ଜଣେ ନାବାଳିକ । ସେମାନେ ହ୍ୱାଟ୍ସଆପ ଓ ଅନ୍ୟ ମାଧ୍ୟମରେ ପାକିସ୍ତାନକୁ ସୂଚନା ପଠାଉଥିଲେ । ଆରୋପିଙ୍କ ନିକଟକୁ ହାଓ୍ଵଲା ମାଧ୍ୟମରେ ଅର୍ଥ ପହଂଚା ଯାଉଥିଲା । ପୋଲିସ ଆଇପିସିର ଧାରା ୧୨୩, ୧୨୦ ବି ଓ ଅଧିକୃତ ଗୁପ୍ତ ଅଧିନିୟମର ଧାରା ୩,୯ ଅନୁସାରେ ମାମଲା ରୁଜୁ କରିଛି ।