କାବୁଲ– ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନିଙ୍କୁ କଡା ଟକ୍କର ଦେଇଥିବା ରାଜନୈତିକ ପ୍ରତିଦ୍ୱନ୍ଦୀ ଅବଦୁଲ୍ଲା ଅବଦୁଲ୍ଲା ଆସନ୍ତା ସପ୍ତାହରେ ଏକ ସମାନାନ୍ତର ଶପଥ ଗ୍ରହଣ ସମାରୋହ ଲାଗି ନିମନ୍ତ୍ରଣ ପତ୍ର ଜାରି କରିଛନ୍ତି । ତାଙ୍କର ମୁଖପାତ୍ର ଫରଦୁନ ଖ୍ୱାଜୁନ ଶନିବାର ଏହାର ସୂଚନା ଦେଇ ଜାତୀୟ ଓ ଆନ୍ତର୍ଜାତୀୟ ସଂଗଠନକୁ ନିମନ୍ତ୍ରଣ ପତ୍ର ପଠାଯାଇଛି ଏବଂ ଶପଥ ସମାରୋହ ଲାଗି ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି । ସେହି ସମୟରେ ଅଶରଫ ଗନି ମଧ୍ୟ ରାଷ୍ଟ୍ରପତି ପଦରେ ଶପଥ ନେବାକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ କାବୁଲରେ ସୋମବାର ସକାଳେ ରାଷ୍ଟ୍ରପତି ଅଶରଫ ଗନିଙ୍କ ଶପଥ ସମାରୋହ ସମୟରେ ଅବଦୁଲ୍ଲାଙ୍କ ଶପଥ ସମାରୋହର ଆୟୋଜନ ହେବ । ଏକ ସଙ୍ଗେ ଦୁଇ ଦୁଇ ଜଣ ରାଜନୈତିକ ବ୍ୟକ୍ତି ଦେଶର ସର୍ବୋଚ୍ଚ ପଦ ଲାଗି ଶପଥ ନେବା ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି । ଏହି ରାଜନୈତିକ ଗତିରୋଧ ସମାନାନ୍ତର ସରକାରର ଶାନ୍ତି ପ୍ରକ୍ରିୟାକୁ ବିପଦରେ ପକାଇବାକୁ ଯାଉଛି । ଅନ୍ୟପକ୍ଷେ ଆମେରିକାର ଟ୍ରମ୍ପ ସରକାର ଆଫଗାନ ସରକାର ସହିତ ତାଲିବାନର ଆଲୋଚନା ପ୍ରକ୍ରିୟା କେମିତି ଆଗକୁ ଯିବ ସେ ନେଇ ଉଦ୍ୟମ ଜାରି ରଖିଛି ।
ଆଫଗାନିସ୍ତାନର ନିର୍ବାଚନ ଆୟୋଗ ସେପ୍ଟେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ପରିଣାମ ଫେବୃଆରୀରେ ଜାରି କରିଥିଲା ଓ ଗନିଙ୍କୁ ବିଜେତା ଘୋଷିତ କରିଥିଲା । ଅନ୍ୟପଟେ ଅବଦୁଲ୍ଲା ଦାବି କରିଛନ୍ତି ଯେ, ସେ ନିର୍ବାଚନ ଜିତିଛନ୍ତି ଓ ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଛି ।
ଗନିଙ୍କ ମୁଖପାତ୍ର ସୋଦିକ ସେଦ୍ଦିକି କହିଛନ୍ତି ତାଙ୍କର ପ୍ରାର୍ଥୀ ଅଶରଫ ଗନି ଗତ ବର୍ଷ ଦେଶରେ ଅନୁଷ୍ଠିତ ନିର୍ବାଚନରେ ନିର୍ବାଚନ ଆୟୋଗ ଦ୍ୱାରା ବିଜୟୀ ଘୋଷିତ ହୋଇଛନ୍ତି । ସେଦ୍ଦିକି ଶନିବାର କହିଛନ୍ତି ଯେ, ରାଷ୍ଟପ୍ରତି ଗନିଙ୍କୁ ସ୍ୱତନ୍ତ୍ର ନିର୍ବାଚନ ଆୟୋଗ ଦେଶର ସମ୍ବିଧାନ ଆଧାରରେ ବିଜେତାର ପ୍ରମାଣ ପତ୍ର ମଧ୍ୟ ଦେଇଛନ୍ତି ।
ରାଜନୈତିକ ସୂତ୍ର ଅନୁଯାୟୀ, ଆଫଗାନିସ୍ତାନରେ ଦୁଇ ଦୁଇ ଜଣ ରାଜନୈତିକ ହସ୍ତୀ ରାଷ୍ଟ୍ରପତି ପଦ ଲାଗି ଶପଥ ନେବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି । ଆମେରିକା ପୂର୍ବରୁ ହିଁ ଦୁଇ ପକ୍ଷଙ୍କୁ ସମାରୋହ ସ୍ଥଗିତ ରଖିବାକୁ କହିଛି ।
ଉଲ୍ଲେଖନୀୟ ଗନି ଓ ଅବଦୁଲ୍ଲା ଉଭୟ ପୁରାତନ ପ୍ରତିଦ୍ୱନ୍ଦୀ, ଉଭୟ ଆମେରିକାର କ୍ଷମତା ଭାଗିଦାରୀ ରାଜିନାମା ଆଧାରରେ ଗତ ସରକାରରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସଂପ୍ରତି ସରକାରରେ ମୁଖ୍ୟ କାର୍ଯ୍ୟକାରୀ ପଦ ସମ୍ଭାଳିଥିଲେ ।
ଆଫଗାନ ରାଜନୈତିକ ନେତାଙ୍କ ମଧ୍ୟରେ ସାମଞ୍ଜ୍ୟସର ଅଭାବ କାରଣରୁ ମଙ୍ଗଳବାର ଦିନ ତାଲିବାନ ସହିତ ଆରମ୍ଭ ହେବାକୁ ଥିବା ଆଲୋଚନା ଏବେ ମୁସ୍କିଲ ଲାଗୁଛି । ଜଣେ ବିଦେଶୀ କୂଟନୈତିଜ୍ଞ ଅବଦୁଲ୍ଲାଙ୍କ ଶପଥ ସମାରୋହର ନିମନ୍ତ୍ରଣ ଉପରେ କହିଛନ୍ତି ଯେ, ଆଫଗାନରେ ଶାନ୍ତି ସ୍ଥାପନ ଦିଗରେ ଏହା ବ୍ୟାଘାତ ସୃଷ୍ଟି କରିବ ।
କୂଟନୈତିଜ୍ଞ କହିଛନ୍ତି ଆମେରିକାର ବିଷେଷ ଦୂତ ଜାଲମେ ଖଲିଜଜାଦ ସୋମବାର ପୂର୍ବରୁ ସମାଧାନର ସୂତ୍ର ବାହାର କରିବାକୁ ଦୁଇ ପକ୍ଷ ସହିତ ଆଲୋଚନା କରୁଛନ୍ତି । ଏହି ସଂଦର୍ଭରେ ଆମେରିକା ଦୂତାବାସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।