ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭକାମନା ଜଣାଇ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ସମାଜ ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ଦେଶର ସାତ ଚୟନିତ ମହିଳାଙ୍କ ହାତରେ ହସ୍ତାନ୍ତର କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରୁ ସର୍ବ ପ୍ରଥମେ ଫୁଡ୍ ବ୍ୟାଙ୍କ-ଇଣ୍ଡିଆର ସଂସ୍ଥାପକ ସ୍ନେହା ମୋହନଦାସ ପ୍ରଥମ ଟୁଇଟ୍ କରିଛନ୍ତି । ସେ ଟୁଇଟ୍ କରି ଅତି କମରେ ଜଣେ ଗରିବ ବ୍ୟକ୍ତିଙ୍କୁ ଖାଦ୍ୟ ଖୁଆଇବାକୁ ଲୋକଙ୍କ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ ସନ୍ଦେଶରେ କହିଛନ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ସଭିଙ୍କୁ ମୋର ଶୁଭକାମନା । ଆମେ ନିଜର ନାରୀ ଶକ୍ତିର ଭାବନା ଓ ଉପଲବ୍ଧିକୁ ସଲାମ କରିବା ଉଚିତ୍ । ମୁଁ କିଛି ଦିନ ପୂର୍ବରୁ କହି ଥିଲି ଯେ, ମୁଁ ସାମାଜିକ ଗଣମାଧ୍ୟମ ଛାଡିବାକୁ ଯାଉଛି । ସମ୍ଭବତଃ ଏବେ ସାତ ମହିଳା ମୋର ଟୁଇଟର ମାଧ୍ୟମରେ ନିଜ ଜୀବନର ଯାତ୍ରା ବିଷୟରେ ଦେଶବାସୀଙ୍କୁ ଜଣାଇବେ ଓ ପ୍ରେରିତ କରିବେ ।
ଭାରତରେ ଦେଶର ସବୁ ଭାଗରେ ମହିଳାଙ୍କ ଉପଲବ୍ଧି ରହିଛି । ଏହି ମହିଳାମାନେ ଅନେକ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାମ କରିଛନ୍ତି । ସେମାନଙ୍କର ସଂଘର୍ଷ ଓ ଆକାଂକ୍ଷା ଲକ୍ଷାଧିକ ଲୋକଙ୍କୁ ପ୍ରେରିତ କରୁଛି । ଆସନ୍ତୁ ଆମେ ଏମିତି ମହିୟସୀ ମହିଳାଙ୍କ ଉପଲବ୍ଧିକୁ ନେଇ ଉତ୍ସବ ପାଳନ କରିବା ଏବଂ ସେମାନଙ୍କଠୁ କିଛି ଶିଖିବା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଫୁଡ୍ ବ୍ୟାଙ୍କ-ଇଣ୍ଡିଆର ସଂସ୍ଥାପକ ସ୍ନେହା ମୋହନଦାସ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ପ୍ରଥମ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ନିଜ ମାଙ୍କଠୁ ପ୍ରେରିତ ହୋଇ ମୁଁ ବାସହୀନଙ୍କୁ ଖାଦ୍ୟ ଯୋଗାଇବା ଅଭ୍ୟାସ କଲି ଏବଂ ଫୁଡବ୍ୟାଙ୍କ ଇଣ୍ଡିଆ ନାମରେ ଏହି ସଂସ୍ଥା ଆରମ୍ଭ କଲି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଅତି କମରେ ଜଣେ ଗରିବ ବ୍ୟକ୍ତିଙ୍କୁ ଭୋଜନ ଦିଅନ୍ତୁ ଏବଂ ଏକ କ୍ଷୁଧାମୁକ୍ତ ଗ୍ରହ ପାଇଁ ଯୋଗଦାନ ଦିଅନ୍ତୁ ।
ପ୍ରଧାନମନ୍ତ୍ରୀଙ୍କ ଟୁଇଟର ବ୍ୟବହାର କରିଥିବା ଦ୍ୱିତୀୟ ମହିଳା ହେଉଛନ୍ତି ମାଲବିକା ଆୟର । ସେ ଦିବ୍ୟାଙ୍ଗଙ୍କ ସହିତ ଭେଦଭାବ ଦୂର କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ୧୩ ବର୍ଷ ବୟସରେ ରାଜସ୍ଥାନର ବିକାନେର ବୋମା ବିସ୍ଫୋରଣ ଘଟଣାରେ ନିଜର ଦୁଇ ହାତ ହରାଇଥିବା ମାଲବିକା କହିଛନ୍ତି, ଶିକ୍ଷାରୁ ସେ ଆତ୍ମ ବିଶ୍ୱାସ ଫେରି ପାଇଛନ୍ତି । ରାଷ୍ଟ୍ରପତି ତାଙ୍କୁ ନାରୀ ଶକ୍ତି ପୁରସ୍କାରରେ ମଧ୍ୟ ସମ୍ମାନିତ କରି ସାରିଛନ୍ତି ।
ଉଲ୍ଲେଖନୀୟ ମାର୍ଚ୍ଚ ୦୨ରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଥିଲେ ଯେ, ଏହି ସପ୍ତାହରେ ସେ ନିଜର ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ଛାଡିବାକୁ ବିଚାର କରୁଛନ୍ତି ।