ଭଦ୍ରକ – ଭଦ୍ରକ ବନ୍ତ ଛକ ଠାରେ ପୌରରପାଳିକା ପକ୍ଷରୁ ସ୍ଥାପନ କରାଯାଇଥିବା ଦୋକାନ ଘର ଆବଣ୍ଟନ ନେଇ ନିଷ୍ପତି ନେଇ ପାରୁନାହାନ୍ତି ପୌର କର୍ତୃପକ୍ଷ । ଆବଂଟନ ପାଇଁ ୮ମାସ ପୂର୍ବେ ବିଜ୍ଞାପନ ପ୍ରକାଶ ପାଇଥିଲା । ସେତେବେଳେ ଯେଉଁମାନେ ଖଣ୍ଡେ ଦୋକାନ ଘର ପାଇବାକୁ ଆଶା ରଖି ନିୟାମାନୁଯାୟୀ ୨ଲକ୍ଷ ଟଙ୍କା ଲେଖାଏଁ ଜମା ଦେଇଥିଲେ, ସେମାନେ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ଏ ସମ୍ପର୍କରେ ଆବେଦନକାରୀମାନେ ବାରମ୍ବାର ପୌର ପ୍ରଶାସକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଆବଣ୍ଟନକୁ ନେଇ ପ୍ରଶାସନର କାଳକ୍ଷେପଣ ନୀତି ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ମାନସିକ ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲାପାଳ ଜ୍ଞାନ ଦାସ ଚଳିତ ସପ୍ତାହରେ ଏଥି ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ବନ୍ତ ଛକ ଠାରେ ପୌରପାଳିକା ପକ୍ଷରୁ ୩୨ଟି ଦୋକାନ ଘର ନିର୍ମାଣ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀ ୧୮ତାରିଖ ପୌର ନିର୍ବାହୀ ଅଧିକାରୀ ଏକ ବିଜ୍ଞାପନ ଜରିଆରେ ଦୋକାନ ଘର ପାଇବା ପାଇଁ ଆଶାୟୀଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରିଥିଲେ । ଆବେଦନର ଶେଷ ତାରିଖ ୨୯ତାରିଖ ରହିଥିଲା । ତେବେ ପୌରପାଳିକା ୱେବସାଇଟ୍ରୁ ଆବେଦନପତ୍ର ଡ଼ାଉନଲୋଡ଼ କରି ପ୍ରାୟ ୩୮ଜଣ ଆଶାୟୀ ଏଥି ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ଆବେଦନ କରିବାର ସମସ୍ତ ସର୍ତ ପାଳନ କରିନଥିବାରୁ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କର ଆବେଦନ ଫର୍ମ ଖାରଜ ହୋଇଯାଇଥିବାବେଳେ, ୧୨ଜଣଙ୍କ ଆବେଦନ ଫର୍ମ ବୈଧ ରହିଥିଲା । ପରେ ପୁଣି ଏକ ବିଜ୍ଞାପନ ଜରିଆରେ ଅବଶିଷ୍ଟ ଦୋକାନ ଘର ନିମନ୍ତେ ଆବେଦନପତ୍ର ଆହ୍ୱାନ କରିଥିଲେ ପୌର କର୍ତୃପକ୍ଷ । ସେହି ଅନୁଯାୟୀ ୭୦ରୁ ଉଦ୍ଧ୍ୱର୍ ଆବେଦନକାରୀ ଏଥି ପାଇଁ ଆବେଦନ କରିଥିଲେ । ତେବେ ଇତିମଧ୍ୟରେ ୮ମାସ ବିତିବାକୁ ବସିଛି । ପ୍ରାୟ ୧ଶରୁ ଉଦ୍ଧ୍ୱର୍ ଆବଦେନକାରୀ ପ୍ରତ୍ୟେକ ୨ଲକ୍ଷ ଟଙ୍କାର ବ୍ୟାଙ୍କ ଡ଼୍ରାଫ୍ଟ ସିକ୍ୟୁରିଟି ଆକାରରେ ଜମା ଦେଇ ପୌର କର୍ତୃପକ୍ଷଙ୍କ ନିଷ୍ପତିକୁ ଅନାଇ ବସିଛନ୍ତି । ଏହି ପରିପ୍ରେକ୍ଷୀରେ ଆବେଦନ କରିଥିବା ଅପର୍ତିବନ୍ଧାର ନିଶିକାନ୍ତ ନାୟକ, ସନ୍ଥିଆ ଗ୍ରାମର ଆଲୋକ ସାହୁ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦେକାନ ଘର ଆବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏଥି ନେଇ ସେମାନେ ବହୁବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ତେଣୁ ଅଧିକ ବିଳମ୍ବ ହେଲେ ବାଧ୍ୟହୋଇ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଶ୍ରୀ ନାୟକ ଓ ଶ୍ରୀ ସାହୁ କରିଥିବା ଅଭିଯୋଗ ଅନୁଯାୟୀ ପୌର କର୍ତୃପକ୍ଷ ଦୋକାନ ଘର ଆବଂଟନ ପାଇଁ କେତେକ ସର୍ତ ରଖିଥିଲେ । ଆବେଦନକାରୀମାନେ ମଧ୍ୟ ଉକ୍ତ ସର୍ତକୁ ମାନିବା ପାଇଁ ଆବେଦନଫର୍ମ ସହିତ ସତ୍ୟପାଠ ଦାଖଲ କରିଥିଲେ । ସର୍ତ ଅନୁଯାୟୀ ଯଦି ଦେକାନ ଘର ସଂଖ୍ୟା ଠାରୁ ଅଧିକ ଆବଦେନଫର୍ମ ଆସେ ତେବେ ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ମନୋନିତ କରାଯିବ ବୋଲି ସର୍ତ୍ତରେ ଉଲ୍ଲେଖ ଥିଲା । ଯଦି ନିର୍ଦ୍ଧାରିତ ସମୟରେ ଘର ସଂଖ୍ୟାଠାରୁ କମ୍ ବ୍ୟକ୍ତି ଆବେଦନ କରିଥାନ୍ତି, ତେବେ ବିନା ଲଟେରୀରେ ସେମାନଙ୍କୁ ଘର ଯୋଗାଇ ଦିଆଯିବ । ଅବଶିଷ୍ଟ ଘରର ଆବଣ୍ଟନ ପାଇଁ ପୌର କର୍ତୃପକ୍ଷ ପରବର୍ତୀ ନିଷ୍ପତି ନେବେ ବୋଲି ଉକ୍ତ ବିଜ୍ଞାପନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା । ତେଣୁ ଆବେଦନର ନିର୍ଦ୍ଧାରିତ ସମୟ ଅର୍ଥାତ୍ ଜାନୁଆରୀ ୨୯ ତାରିଖ ସୁଦ୍ଧା ଯେଉଁ ୧୨ଜଣ ଆବେଦନକାରୀଙ୍କ ଫର୍ମ ବୈଧ ରହିଛି, ସେମାନଙ୍କୁ ଦୋକାନ ଘର ଆବଣ୍ଟନରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆବେଦନକାରୀଙ୍କ ଠାରୁ ପାଖାପାଖି ଦେଢ଼ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅମାନତ ରାଶୀ ନେଇ ପୌର କର୍ତୃପକ୍ଷ ଗତ ୮ମାସ ଧରି କାହିଁକି ନୀରବ ବସିଛନ୍ତି ବୋଲି ମଧ୍ୟ ବହୁ ଅବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଚଳିତ ସପ୍ତାହରେ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ପୌର ପ୍ରଶାସକ ତଥା ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି ।
Related Stories
November 23, 2024