ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ଗ୍ରାମାଚଂଳ ଓ ଆଦିବାସୀ ପିଲା ମାନେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ନଜରକୁ ଆସୁଛି । ଏହାକୁ ବନ୍ଦ କରିବା ନେଇ ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକଙ୍କ ନେତୃତ୍ୱରେ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି ।
ନିୟମିତ ଭାବେ ଜିଲ୍ଲାର ପ୍ରତ୍ୟେକ ସ୍ଥାନରୁ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ଉ କରାଯିବା ସହ ଜନସାଧାରଣଙ୍କ ମନରେ ଶିଶୁ ଶ୍ରମିକ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଉଦ୍ଧାର ହେବାକୁ ଥିବା ଶିଶୁମାନଙ୍କୁ ଆବଶ୍ୟକୀୟ ଥଇଥାନ କରାଯିବ । ଯୋଜନା ମୁତାବକ, ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପରାମର୍ଶଦାତା ଡଃ. ମଲ୍ଲିକ, ଆଦର୍ଶ ଥାନାର ସବଇନ୍ସପେକ୍ଟର ଶ୍ରୀ ପ୍ରଧାନ, ସହାୟକ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ, ଚାଇଲ୍ଡ ଲାଇନର ସଭ୍ୟ ସଲମନ୍ ମଣ୍ଡଳ ଓ ପ୍ରେମିକା ମଣ୍ଡଳଙ୍କୁ ନେଇ ଗଠିତ ଦଳ ପାରଳାଖେମୁଣ୍ଡି ସହରର ୨୦ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ଯଥା ମୋଟର ଗ୍ୟାରେଜ୍, ଭୋଜନାଳୟ, ଓ ଦୋକାନ ଗୁଡିକ ତଲାସୀ କରି ସେଠାରୁ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ଚାଇଲ୍ଡ ଲାଇନ୍ ପକ୍ଷରୁ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପିତ କରାଯାଇଥିଲା । ଶିଶୁ ମଙ୍ଗଳ ସମିତି ଏ ସମସ୍ତ ଶିଶୁଙ୍କୁ ସ୍ୱଳ୍ପ ସମୟ ପାଇଁ ମୁକ୍ତ ଆଶ୍ରୟ ସ୍ଥଳକୁ ପଠାଇ ଦେଇଛନ୍ତି । ଆଗାମୀ ଦିନରେ ଶିଶୁଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି । ସମ୍ପୃକ୍ତ ୫ ଜଣ ଶିଶୁ ଶ୍ରମିକଙ୍କ ମଧ୍ୟରୁ ଜଣେ ପାରଳାଖେମୁଣ୍ଡି ଥାନା ଅଂଚଳର ହୋଇଥିବା ବେଳେ ତିନି ଜଣ ଗାରାବନ୍ଧ ଓ ଜଣେ ଗୁମ୍ମା ଥାନା ଅଂଚଳର ହୋଇଥିବା ଜଣାପଡିଛି ।