ନୂଆଦିଲ୍ଲୀ– ୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ବାସଭବନ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚଢାଉ କରିଛି । ଇଡି ରାଣା କପୁରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗାମୀ ୩୦ ଦିନରେ ୟେସ୍ ବ୍ୟାଙ୍କର ପୁନର୍ଗଠନ ହେବାର ଆଶ୍ୱାସନା ଦେବାର କିଛି ଘଂଟା ପରେ କପୁରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ଇଡି ୟେସ୍ ବ୍ୟାଙ୍କର ସଂସ୍ଥାପକ ତଥା ପୂର୍ବତନ ପରିଚାଳକ ନିର୍ଦ୍ଦେଶକ ରାଣା କପୁରଙ୍କ ମୁମ୍ବାଇର ବର୍ଲି ସ୍ଥିତ ବାସଭବନ ଉପରେ ଚଢାଉ କରିଛି । ଚଢାଉ ସମୟରେ ଇଡି ୟେସ୍ ବ୍ୟାଙ୍କ ସମ୍ବନ୍ଧିତ କାଗଜପତ୍ରର ଯାଂଚ କରିଛି । ମାତ୍ର କପୁରଙ୍କ ଘରେ ଏହି ଚଢାଉ ନେଇ ଇଡି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ । ସୂତ୍ର ଅନୁସାରେ ରାଣା କପୁରଙ୍କୁ ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇପାରେ । ତେଣୁ ଏମିତି ସ୍ଥିତିରେ ତଦନ୍ତ ପୂରା ନହେବା ଯାଏ ରାଣା କପୁର ଦେଶ ବାହାରକୁ ଯାଇ ପାରିବେ ନାହିଁ।
ଉଲ୍ଲେଖନୀୟ ଦୁଇ ଦିନ ପୂର୍ବେ ଯେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୟେସ୍ ବ୍ୟାଙ୍କର ଜମାକାରୀଙ୍କ ପାଇଁ ୫୦ ହଜାର ଟଙ୍କାର ଉଠାଇବାର ସୀମା ନିର୍ଦ୍ଧାରିତ କରିଥିଲା ତେବେ ଯାଇ ଦୁନିଆକୁ ୟେସ୍ ବ୍ୟାଙ୍କ୍ କେତେ ସଂକଟ ଜନକ ସ୍ଥିତି ଦେଇ ଗତି କରୁଛି ତାହା ଜଣା ପଡିଥିଲା । ୟେସ୍ ବ୍ୟାଙ୍କର ଏଟିମଏ ଓ ବ୍ୟାଙ୍କ ସମ୍ମୁଖରେ ଏହି ବ୍ୟାଙ୍କର ଜମାକାରୀଙ୍କ ଲମ୍ବା ଧାଡି ଲାଗିବା ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାମ୍ବାଦିକ ସମ୍ମିଳନୀ କରି ଅର୍ଥ ମନ୍ତ୍ରୀ ଓ ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଥିଲେ ଯେ, ଆରବିଆଇର ନଜର ୟେସ୍ ବ୍ୟାଙ୍କ ଉପରେ ବହୁ ପୂର୍ବରୁ ଥିଲା । ଏହା ମଧ୍ୟରେ ଅର୍ଥମନ୍ତ୍ରୀ ସୀତାରମଣ ଜମାକାରୀଙ୍କୁ ତାଙ୍କର ଅର୍ଥ ସୁରକ୍ଷିତ ଥିବା ଭରସା ଦେଇଛନ୍ତି ।