
ଗ୍ୟାଙ୍ଗଟକ୍– କରୋନା ଭୂତାଣୁର ପ୍ରକୋପର ପ୍ରଭାବ ସଂପ୍ରତି ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିଛି । ମାରାତ୍ମକ କରୋନା କାରଣରୁ ପ୍ରତ୍ୟେକ ବର୍ଷ ମେ ମାସରୁ ନଭେମ୍ବର ମଧ୍ୟରେ ହେବାକୁ ଥିବା ଭାରତ-ଚୀନ ସୀମା ବାଣିଜ୍ୟ ଉପରେ ଅନିଶ୍ଚିତତାର ବାଦଲ ଦେଖା ଦେଇଛି । ଯାହା ଫଳରେ ସିକ୍କିମ ସରକାର ଆଗାମୀ ମେ ମାସରୁ ଆରମ୍ଭ ହେବାକୁ ଥିବା ନାଥୁଲା ସୀମା ବ୍ୟାପାରକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ନାଥୁଲା ସୀମା ବାଣିଜ୍ୟ ୨୦୦୬ରେ ଆରମ୍ଭ କରାଯାଇଥିଲା । ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ସିକ୍କିମର ସ୍ଥାନୀୟ ବ୍ୟବସାୟୀ ଏବଂ ତିବ୍ଦତ ସ୍ୱାୟତ କ୍ଷେତ୍ରର ବ୍ୟବସାୟୀ ଏଥିରେ ସାମିଲ ହୋଇ ଆସୁଛନ୍ତି । ମାତ୍ର ଚଳିତ ବର୍ଷ କରୋନା ଭୂତାଣୁର ପ୍ରକୋପ କାରଣରୁ ଏହି ବାଣିଜ୍ୟ ଅନିଶ୍ଚିତତା ଘେରରେ ରହିଛି ।
ଏହା ସହିତ ପର୍ଯ୍ୟଟକଙ୍କୁ ଭାରତ-ଚୀନ ସୀମାରେ ସ୍ଥିତ ନାଥୁଲା ଲାଗି ପରମିଟ୍ ଜାରି କରାଯାଇ ନାହିଁ । ସିକ୍କିମ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନାଥୁଲା ଏକ ଆକର୍ଷଣର କେନ୍ଦ୍ର ରହିଥିଲା, ମାତ୍ର ଏବେ ପର୍ଯ୍ୟଟକ ନାଥୁଲା ଯାଇ ପାରିବେ ନାହିଁ । କିନ୍ତୁ ଏହି ନିର୍ଣ୍ଣୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଖାଯାଇଥିବା କୁହାଯାଉଛି ।
କେବଳ ଏତିକି ନୁହଁ ସିକ୍କିମ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭୂଟାନ ସହିତ ସମସ୍ତ ଦେଶର ନାଗରିକଙ୍କ ଲାଗି ପରମିଟ୍ ଜାରି ନକରିବାକୁ ମଧ୍ୟ ନିଷ୍ପତି ନେଇଛି । ରାଜ୍ୟ ସରକାର ଉପରୋକ୍ତ ନିର୍ଣ୍ଣୟ ସୂଚନା କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରଣାଳୟକୁ ଦେଇଛନ୍ତି । ଏହା ବ୍ୟତୀତ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ସିକ୍କିମରେ ପଢୁଥିବା ବିଦେଶୀ ଛାତ୍ରଙ୍କ ବାଧ୍ୟତାମୂଳକ ସ୍କ୍ରିନିଂ କରିବାକୁ ମଧ୍ୟ ନିଷ୍ପତି ନେଇଛି ।
କରୋନା ଭୂତାଣୁର ପ୍ରକୋପର ପ୍ରଭାବ ରାଜଧାନୀ ଗ୍ୟାଙ୍ଗଟକରେ ଖେଳାଯାଉଥିବା ମୁଖ୍ୟମନ୍ତ୍ରୀ ତିରନ୍ଦାଜୀ ପ୍ରତିଯୋଗିତା ଉପରେ ମଧ୍ୟ ପଡିଛି। ଏହି ପ୍ରତିଯୋଗିତାରେ ଭୂଟାନର ପ୍ରତିଯୋଗୀ ଭାଗ ନେଇଛନ୍ତି । ମାତ୍ର ଏବେ ଭୂଟାନର ୪ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଆଗାମୀ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ଭିଡରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ରାସାୟନିକ ରଙ୍ଗ ବ୍ୟବାହର ଉପରେ କଟକଣା ଲଗାଇବାକୁ ନିର୍ଣ୍ଣୟ ନିଆଯାଇଛି ।