ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାର ଜନ ଔଷଧି କେନ୍ଦ୍ର ଦ୍ୱାରା ଲାଭାନ୍ୱିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଜନ ଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ସମଗ୍ର ଦେଶର ବଛା ବଛା ଜନ ଔଷଧି କେନ୍ଦ୍ରର ସଂଚାଳକ ଓ ଲାଭାନ୍ୱିତଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାର ଏହି ଜନ ଔଷଧି କେନ୍ଦ୍ରରୁ ଶସ୍ତାରେ ଔଷଧ ପାଇ ପାରୁଛନ୍ତି । ସମଗ୍ର ଦେଶରେ କୌଣସି ବି ବଜାରରେ ଉପଲବ୍ଧ ସମାନ ଔଷଧ ତୁଳନାରେ ଜନ ଔଷଧି କେନ୍ଦ୍ରରେ ଉପଲବ୍ଧ ଔଷଧ ୫୦ ରୁ ୯୦ ପ୍ରତିଶତ ଶସ୍ତା ରହିଛି ।
ମୋଦୀ ଜନ ଔଷଧି କେନ୍ଦ୍ର ପାଇଁ ପୁରସ୍କାରର ଘୋଷଣା କରି କହିଛନ୍ତି ଯେ, ଆପଣ ସମସ୍ତେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆପଣଙ୍କର ଏହି କାମକୁ ଲୋକଲୋଚନକୁ ଆଣିବା ପାଇଁ ସରକାର ଏହି ଯୋଜନା ସହିତ ଜଡିତ ପୁରସ୍କାର ଦେବାକୁ ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ଉନ୍ନତ ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆରମ୍ଭ ହେବ । ଜନ ଔଷଧି ଦିବସ କେବଳ ଏକ ଯୋଜନାକୁ ପାଳନ କରିବାର ଦିନ ନୁହଁ ବରଂ ସେହି କୋଟି କୋଟି ଭାରତୀୟ, ଲକ୍ଷାଧିକ ପରିବାର ସହିତ ଜଡିତ ହେବାର ଦିନ, ଯାହାଙ୍କୁ ଏହି ଯୋଜନାରୁ ବହୁତ ଆଶ୍ୱସ୍ତି ମିଳିଛି । ପ୍ରତ୍ୟେକ ଭାରତୀୟଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ ଚାରି ସୂତ୍ରୀ ଯୋଜନା ଉପରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଜନ ଔଷଧି ପ୍ରକଳ୍ପ ପ୍ରଧାନମନ୍ତ୍ରୀ-ବିଜେପି ପାଇଁ ଏହି ସମୟର ସବୁଠୁ ମହତ୍ୱପୂର୍ଣ୍ଣ ବିଷୟ । ଏହା ଦେଶର ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ଶସ୍ତା ଓ ଉନ୍ନତ ଚିକିତ୍ସା ସେବା ପହଂଚାଇବାକୁ ସଂକଳ୍ପବଦ୍ଧ। ମୁଁ ବହୁତ ପ୍ରସନ୍ନ ଯେ ଅଦ୍ୟାବଧି ୬ ହଜାରରୁ ଅଧିକ ଜନ ଔଷଧି ସମଗ୍ର ଦେଶରେ ଖୋଲି ସାରିଛି । ଏଥିରେ ଲୋକଙ୍କୁ ପୂର୍ବ ତୂଳନାରେ ଚିକିତ୍ସା ଉପରେ କମ ଖର୍ଚ୍ଚ କରିବାକୁ ପଡୁଛି । ଜନଔଷଧି କେନ୍ଦ୍ର କାରଣରୁ ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ କୋଟି କୋଟି ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କର ୨୦୦୦ ରୁ ୨୫୦୦ ଟଙ୍କା ସଞ୍ଚୟ ହୋଇ ପାରିଛି ।