ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ଗୁଜବରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ଚିକିତ୍ସକଙ୍କ ପରାମର୍ଶ ପାଳନ କରନ୍ତୁ ।
ପ୍ରଧାନମନ୍ତ୍ରୀ ମୋଦୀ ଜନ ଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ଦେଶର ବଛା ବଛା ଜନ ଔଷଧି କେନ୍ଦ୍ରର ସଞ୍ଚାଳକ ଓ ଲାଭାନ୍ୱିତଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଜନ ଔଷଧି କେନ୍ଦ୍ର ମଧ୍ୟମବର୍ଗକୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସାହାଯ୍ୟ କରିବ କାରଣ ଏଠାରେ ଉପଲବ୍ଧ ଔଷଧ ବହୁତ ଶସ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାମମନ୍ତ୍ରୀ ଗୌହାଟୀର ଅଶୋକ କୁମାର ଜନ ଔଷଧି କେନ୍ଦ୍ରରୁ ମିଳୁଥିବା ଶସ୍ତା ଔଷଧ ଏବଂ କରୋନା ଭୂତାଣୁକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତରରେ କହିଛନ୍ତି, ସଂପ୍ରତି କରୋନାକୁ ନେଇ ଗୁଜବ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି । କିଏ କହୁଛି ଏହି ଖାଦ୍ୟ ଖାଇବା ଉଚିତ୍ ନୁହଁ, ତାହା କରିବା ଉଚିତ୍ ନୁହଁ । କିଛି ଲୋକ ତ ନୂତନ ଜିନିଷ ନେଇ ଆସିଯିବେ ଏବଂ କହିବେ ଯେ, ଏହା ଖାଇ ଦେଲେ କରୋନା ଭୂତାଣୁରୁ ରକ୍ଷା ମିଳିବ । ଆମକୁ ଏହି ସବୁ ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ୍ ନୁହଁ । ଯାହା ବି କରୁଛନ୍ତି ନିଜର ଡାକ୍ତରଙ୍କ ପରାମର୍ଶ ନେଇ କରନ୍ତୁ ।
କରୋନା ଭୂତାଣୁ ବ୍ୟାପକତାକୁ ରୋକିବା ଲାଗି ଲୋକଙ୍କ ସହିତ ହାତ ନମିଳାଇବା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦୁନିଆ ଏବେ ନମସ୍ତେ କରିବା ଅଭ୍ୟାସ୍ କରୁଛି । ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ୍ ଛାଡି ଦେଇଛନ୍ତି, ତେବେ କରମର୍ଦ୍ଦନ କରିବା ବଦଳରେ ଏହି ଅଭ୍ୟାସକୁ ପୁଣି ଥରେ ଆରମ୍ଭ କରିବାର ଏହା ହେଉଛି ଉଚିତ୍ ସମୟ ।