ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟସ୍ତରରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଦୁଇ ରୋଗୀଙ୍କ ରକ୍ତ ନମୂନା ଯାଞ୍ଚ ପାଇଁ ପୁଣେ ପଠାଇଛନ୍ତି । ଅନ୍ୟପଟେ ପଞ୍ଜାବ ସରକାର କରୋନା ନେଇ ରାଜ୍ୟରେ ଆଲର୍ଟ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଏହି ଦୁଇ ସଂକ୍ରମିତ ପଞ୍ଜାବର ହୋସିଆପୁରର ବାସିନ୍ଦା । ଉଭୟ ଗତ ମାର୍ଚ୍ଚ ୩ରେ ଇଟାଲୀରୁ ଭାରତ ଫେରିଥିଲେ । ସେମାନେ ଯେଉଁ ବିମାନରେ ଭାରତ ଫେରିଥିଲେ ସେଥିରେ ପାଖାପାଖି ୧୨ ଜଣ ଇଟାଲୀ ନାଗରିକ ଥିଲେ । ଏମାନେ ଟୁରିଷ୍ଟ ଭିସା ଆଧାରରେ ଅମୃତସର ଆସିଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ ପରେ ଆଜି ଇଟାଲୀ ପଠାଇ ଦିଆଯାଇଛି ।
ହୋସିଆପୁର ନିବାସୀ ଏହି ଦୁଇ ରୋଗୀଙ୍କୁ ଗତ ଦିନରେ ଅମୃତସରର ଗୁରୁନାନକ ଦେବ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ରକ୍ତ ନମୂନା ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଯାଇଥିଲା । ଯାଞ୍ଚରୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ଶନିବାର ସ୍ୱାସ୍ଥ୍ୟ ବିଭାଗ ଦୁଇ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖି ପୁଣି ଥରେ ଯାଞ୍ଚ ପାଇଁ ରକ୍ତ ନମୂନାକୁ ପୁଣେ ଲ୍ୟାବକୁ ପଠାଇଛନ୍ତି । ସେଠାରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ହିଁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ।
ଅମୃତସରର ସିଭିଲ ସର୍ଜନ ଡାକ୍ତର ପ୍ରଭଦୀପ କୌର ଜୌହଲଙ୍କ ଅନୁଯାୟୀ ଦୁଇ ରୋଗୀଙ୍କୁ ଆଇସୋଲେସନ ଓାର୍ଡରେ ରଖାଯାଇଛି ଏବଂ ଜରୁରୀ ଉପଚାର କରାଯାଉଛି । ପୁଣେ ଲ୍ୟାବରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରାଯିବ ।