ଜୟପୁର– ଗରିବ ଅସହାୟ ପାଇଁ ସରକାରଙ୍କ କାହିଁ କେତେ ଯୋଜନା। ଆଉ ଏହି ସବୁ ଯୋଜନା ଯେମିତି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।ହେଲେ ଦୁଃଖର ବିଷୟ ଏ ସମସ୍ତ ସରକାରୀ ଯୋଯନାରୁ ବଂଚିତ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଡୁମୁରିଗୁଡାର ଜଣେ ଅସହାୟ ବୃଦ୍ଧା। ଭଙ୍ଗା ଦଦରା ଘରେ ବିତୁଛି ଜୀବନ। ଘରର ଅବସ୍ଥା ଏତେ ଦୟନୀୟ ଯେ ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ଗାଈ ଗୁହାଳ ସଦୃଶ ଛୋଟିଆ କୁଡ଼ିଆଟିଏ ନା ଅଛି କବାଟ ନା ଝରକା। ଦୁଇ ପାର୍ଶ୍ଵରେ ଭଙ୍ଗା ମାଟି ପାଚେରୀ।କେତେବେଳେ ବର୍ଷାରେ ଭାଙ୍ଗିପଡିବ କହି ହେବନି। ହେଲେ ଦୁଃଖର କଥା ନିଜ ଜୀବନକୁ ପାଣି ଛଡାଇ ଏହାରି ମଧ୍ୟରେ ଖରା ବର୍ଷାରେ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ଏହି ବୃଦ୍ଧା। ବୃଦ୍ଧା ଜଣକ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଡୁମୁରିଗୁଡାର ଚନ୍ଦ୍ରମା ହରିଜନ । ବୟସ ପାଖାପାଖି 75 ବର୍ଷ। ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଅସହାୟ ବୃଦ୍ଧା ବାରମ୍ବାର ନେହୁରା ହୋଇଛନ୍ତି, ହେଲେ ଫଳ କିନ୍ତୁ ଶୂନ। କେହି ବି ବୃଦ୍ଧାଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ଶୁଣି ନାହାନ୍ତି। ବରଂ ପ୍ରଶାସନ ମାସିକ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୫୦୦ ଟଙ୍କା ଦେଇ ନିଜ କାମ ସାରି ଦେଇଛି।
ପିଲା ଦିନୁ ଠିକ୍ ଥିଲେ ଚନ୍ଦ୍ରମା ହରିଜନ। ଯୌବନବସ୍ଥାରେ ଗୋଟିଏ ପାଦ ନିଆଁରେ ପୋଡିଯାଇ ଭିନ୍ନକ୍ଷମ ପାଲଟି ଯାଇଥିଲେ । ଆଉ ସେହିଦିନଠୁ ବାହା ନ ହେବାକୁ ନିଷ୍ପତି ନେଇ ଆଜି ପର୍ଯ୍ୟନ୍ତ ଅବିବାହିତା ହୋଇ ରହିଛନ୍ତି। ଲୋକଙ୍କ ପରିବା ଜମିରେ କାମ କରନ୍ତି । ସେହି ବାବଦରେ କିଏ ଖାଇବାକୁ ମୁଠାଏ ଦେଲେ ପେଟ ପୁରେ ନ ହେଲେ ସେମିତି ଭୋକ ଉପାସରେ ଦିନ ଯାଏ। ପୂର୍ବରୁ ଚନ୍ଦ୍ରମାଙ୍କୁ ମାସିକ ୩୫ କେଜି ଚାଉଳ ମିଳୁଥିଲା ହେଲେ ଏବେ କେବଳ ମାତ୍ର ମାସିକ ୫ କେଜି ଚାଉଳ ମିଳୁଛି। ବୃଦ୍ଧା ଚନ୍ଦ୍ରମାଙ୍କ ଦୁଃଖ କହିଲେ ନସରେ । ଏଭଳି ସ୍ଥିତିରେ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।