ଭୁବନେଶ୍ୱର– ସଂପ୍ରତି ରାଜ୍ୟରେ ଦେଖା ଦେଇଥିବା ନୂଆ ମୋଟରଯାନ ଆଇନ୍ ଅନୁଯାୟୀ ଆଦାୟ ହେଉଥିବା ଜରିମାନାକୁ କୋହଳ କରିବା ପାଇଁ ଏବଂ ରାଜ୍ୟର ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ତୁରନ୍ତ ଏହି ଜରିମାନା ରାଶିକୁ କୋହଳ କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟର ଆଂଚଳିକ ପରିବହନ କାର୍ଯ୍ୟାଳୟଗୁଡିକ ସ୍ୱୟଂ ସଂପୂର୍ଣ୍ଣ ହୋଇପାରିନଥିବାରୁ ଲାଇସେନ୍ସ ପ୍ରଦାନରେ ଅହେତୁକ ବିଳମ୍ବ ହେଉଅଛି । ବର୍ତମାନ ବିଭିନ୍ନ ସ୍ଥାନରେ ପୋଲିସ ଓ ଟ୍ରାଫିକ୍ ଅଧିକାରୀମାନେ କାଗଜପତ୍ର ଯାଂଚ ବେଳେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବାର ଦୃଶ୍ୟ ନଜରକୁ ଆସୁଛି । ଏଣୁ ଏହି ବ୍ୟବସ୍ଥାକୁ ଅତି କମ୍ରେ ଆଉ ୬ ମାସ କୋହଳ କରିବା ସହ ଜରିମାନା ରାଶିକୁ ସର୍ବାଧିକ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରଖିବା ଓ ରୋଗୀ, ପରୀକ୍ଷାର୍ଥୀ ଏବଂ ଛୋଟ ବ୍ୟବସାୟୀମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ମାତ୍ରାଧ୍ଚଳ ପ୍ରତିକ୍ରିୟାଶୀଳ ନହେବା, ରାଜ୍ୟରେ ଅବ୍ୟବସ୍ଥିତ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଅନୁରୋଧ କରାଯାଇଛି ।
ଏହି ପ୍ରତିନିଧି ମଣ୍ଡଳୀରେ ଅଜୟ କୁମାର ସାହୁ, ସଂକୁନା କହଁର, ରଂଜିତ୍ ପାତ୍ର, ତାପସ ମିଶ୍ର, ଦେବାଶିଷ ମହାପାତ୍ର, ବିଶ୍ୱରଂଜନ ଦାସ, ଚିନ୍ମୟ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।