ମାଲକାନଗିରି– ମାଲକାନଗିରି ଜିଲ୍ଲା ମାଓବୀଙ୍କ ଗଡ଼ ଭାବେ ପରିଚିତ ଥିଲା । ପୂର୍ବରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ବିଛିନ୍ନାଞ୍ଚଳ ଓ ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଘୋଡାରେ ବସି ତ କେତେବେଳେ ବିପଦସଂକୁଳ ଡ଼ଙ୍ଗାରେ ଯାଇ ଅପହଞ୍ଚ ଇଲାକା ରେ ମାଇଲ ମାଇଲ ବାଟ ଚାଲିଚାଲି ଯାଇ ନିଜ ଜୀବନକୁ ପାଣି ଛଡାଇ ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରି ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ନିଜ କର୍ତବ୍ୟ କରିଥିବାରୁ ଗ୍ରାମ୍ୟ ଉନୟନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା (ସାଇ)ଙ୍କ କାର୍ଯ୍ୟ ଦକ୍ଷତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଶ୍ରୀ ବେହେରା ଉଦାହରଣ ପାଲଟିଛନ୍ତି ବୋଲି ୫-ଟି ବିଭାଗର ମୋ ସରକାର ଉଦଘାଟନୀ ଉତ୍ସବରେ ପ୍ରକାଶ କରିଥିଲେ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକର ପଣସପୁଟ, ଯୋଡାମ୍ବ, ଅଣ୍ଡ୍ରାପାଲି, ଯନ୍ତ୍ରୀ, ପାପରମେଟଲା, ବଡ଼ପଡାର ଗାଜଲମାମୁଡି, ଧୂଳିପୁଟ ଓ ଖଇରପୁଟ ବ୍ଲକର ମୁଦୁଲିପଡ଼ା ,ଅଣ୍ଡ୍ରାହାଲ, ବଡ ଦୁରାଲ ପଂଚାୟତ ଅଧୀନରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ବିକାଶମୂଳକ କାମ ଗତ ୫ ବର୍ଷ ହେଲା ବିଭିନ୍ନ ପ୍ରତିକୂଳ ପରିବେଶରେ ନିଜକୁ ଖାପଖୁଆଇ ସେ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । ରାସ୍ତା ଓ ଗୃହ ନିର୍ମାଣ ପାଇଁ ମେଟାଲ, ଚିପ୍ସ, ବାଲି ଭଳି ଅନ୍ୟାନ୍ୟ ସାମଗ୍ରୀ ମିଳୁ ନଥିବାବେଳେ ଲାଲବାହିନୀର ନାଲି ଆଖି ଯୋଗୁ ଠିକାଦାର ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟ କରିବାକୁ ପଛାଉଥିଲେ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ସ୍ୱାଭିମାନ ଅଂଚଳରେ ବିକାଶ ଏକ ଚାଲେଞ୍ଜ ହୋଇଥିଲା । ସ୍ୱାଭିମାନ ଅଞ୍ଚଳର ସମସ୍ତ ପଞ୍ଚାୟତ ଯେଭଳି ବ୍ଲକ ସହ ଯୋଡି ହେବ ସେଥିପାଇଁ ଅଣ୍ଟା ଭିଡିଥିଲା ଜିଲ୍ଲା ପ୍ରଶାସନ । କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ଏହି ଅଞ୍ଚଳରେ ଉନ୍ନୟନମୂଳକ କାମ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଇତ୍ଵ ଦିଆଯିବାପରେ ବର୍ତମାନସୁଦ୍ଧା ୯0 କିଲୋମିଟର ମାଟିରାସ୍ତା ଓ ୨0 କିଲୋମିଟରରୁ ଉର୍ଧ୍ଵ ପିଚୁ ରାସ୍ତା ନିର୍ମାଣ କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମ ଓ ଗ୍ରାମ୍ୟ ଉନୟନ୍ନ ବିଭାଗର ସହଯୋଗ ଯୋଗୁ ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶ ହୋଇଛି । ମୁଁ କେବଳ ମୋର କର୍ତ୍ୟବ୍ୟ କର୍ତବ୍ୟ ପାଳନ କରିଛି । ଅାଦିବାସୀଙ୍କ ଯୋଗାଯୋଗ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ସରକାର ମୋତେ ଯେଉଁ କାମ ଦେଇଛନ୍ତି, ମୁଁ ତାହା ନିର୍ବାହ କରିଛି ବୋଲି ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିବାସହ ଯେତେଦିନ ଯାଏ କାର୍ଯ୍ୟରେ ଅଛି ସେତେଦିନ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ପୂର୍ବରୁ ସେ ସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।