
ବାରିପଦା– ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜରେ ଦିନକୁ ଦିନ ଛତୁ ଫୁଟିଲା ପରି ପ୍ରଶାସନର ନାକ ତଳେ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ବିଭିନ୍ନ ଅଂଚଳରେ ଚାଲିଛି ଶହ ଶହ ବେଆଇନ ପାଥୋଲ୍ୟାବ । ପୁଣି ଅନଭିଜ୍ଞ ଟେକନିସିଆନ ନକଲି ସାର୍ଟିଫିକେଟ ହାତେଇ ପାଥୋଲ୍ୟାବ ଚଳାଉଥିବା କାରଣରୁ ଅନେକ ସମୟରେ ରୋଗୀ ଠକାମୀର ଶିକାର ହେଉଥିବାର ଅଭିଯୋଗ ହେଉଛି । ସରକାରୀ ହସପିଟାଲ ଓ ଡ଼ାକ୍ତରଖାନା ଗୁଡ଼ିକରେ ଥିବା ପାଥୋଲ୍ୟାବର ଟେକନିସିଆନମାନଙ୍କ ରିପୋର୍ଟ ସହ ବେଆଇନ ପାଥୋଲ୍ୟାବଗୁଡ଼ିକର ଟେକନିସିଆନମାନଙ୍କ ରିପୋର୍ଟର ତାଳମେଳ ରହୁନଥିବା ଫଳରେ ରୋଗୀମାନଙ୍କ ଜୀବନ ସଙ୍କଟାପନ୍ନ ହେଉଛି ।
ଜିଲ୍ଲାର ସଦର ମହକୁମା ବାରିପଦା ସହିତ କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ଯଶୀପୁର, ବେତନଟୀ, ବିଶୋଇ, ବାଙ୍ଗିରିପୋଷି, ବଡ଼ସାହି ଆଦି ଛୋଟ ବଡ଼ ସହର ସହିତ ଜିଲ୍ଲାର ବିଭିନ୍ନ ସ୍ଥାନଗୁଡ଼ିକରେ ଛତୁ ଫୁଟିବା ଭଳି ବେଆଇନ ପାଥୋଲ୍ୟାବଗୁଡ଼ିକ କାର୍ଯ୍ୟ କରୁଥିବାର ପରିଲକ୍ଷିତ ହୋଇଛି । ଉକ୍ତ ଲ୍ୟାବଗୁଡ଼ିକର ମାଲିକ ଦିନ ଦ୍ୱିପ୍ରହରରେ ଜନସାଧାରଣଙ୍କୁ ଶୋଷଣ କରିଚାଲୁଥିବା ବେଳେ ପ୍ରଶାସନର ଏ ଦିଗରେ ନିଘା ନାହିଁ । ସେହିପରି ବେଆଇନ ପାଥୋଲୋଜି, କ୍ଲିନିକ ଓ ଘରୋଇ ହସପିଟାଲ ଆଦି ଉପରେ ଚଢ଼ଉ କରାଯିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନେଇ ଏକ ଟାସ୍କ ଫୋର୍ସ ରହିଥିବା ବେଳେ ଆଜି ଯାଏଁ ଜିଲ୍ଲାରେ ଚଢ଼ଉ ହୋଇନାହିଁ । ଫଳରେ ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନିକ ଅଧିକାରୀ ଓ ବେଆଇନ ପାଥୋଲ୍ୟାବଗୁଡ଼ିକର ମାଲିକମାନଙ୍କ ମଧ୍ୟରେ ଗୁପ୍ତ ବୁଝାମଣାରେ ସମସ୍ତ କାର୍ଯ୍ୟ ଚାଲି ଆସୁଥିବା ସନ୍ଦେହ ହେଉଛି । ବାରିପଦା ପୌରପରିଷଦରେ ଜୟା, ଗୁପ୍ତା, ଲାଇଫ ଲାଇନ, ହେଲଥ କେୟାର, ତନୁଶ୍ରୀ, ଦିଶା, ସାନୋ ଲାଇଫ, ଓମ ସାଇ ଆଦି ପ୍ରାୟ ୧୨ ପାଖାପାଖି ପାଥୋଲ୍ୟାବ ସ୍ୱାସ୍ଥ୍ୟ ବିଭାଗ ନିକଟରେ ପଞ୍ଜିକରଣ କରାଇଥିବା ବେଳେ ଫାୟାର ବିଭାଗ ନିକଟରୁ ୩ ଜଣ ସାର୍ଟିଫିକେଟ ନେଇଥିବାର ଜଣାପଡ଼ିଛି ।

ମାତ୍ର ବାରିପଦା ସହର ସହିତ ଜିଲ୍ଲାର ବିଭିନ୍ନ ଅଂଚଳରେ ଶଷ ଶହ ବେଆଇନ ପାଥୋଲ୍ୟାବ କାର୍ଯ୍ୟ କରୁଛି । ସେହିପରି ବାରିପଦା ସହରକୁ ଛାଡ଼ି ଜିଲ୍ଲାର ଅନ୍ୟ କୌଣସି ଅଂଚଳରୁ ଗୋଟାଏ ବି ପାଥୋଲ୍ୟାବ ପଞ୍ଜିକରଣ ହୋଇ ନ ଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ପୁଣି ଜିଲ୍ଲାରେ ଚାଲୁ ରହିଥିବା ନର୍ସିଂ ହୋମ ଓ ହସପିଟାଲ ଗୁଡ଼ିକ ମଧ୍ୟରେ ଦୁର୍ଗା, ଗାୟତ୍ରୀ, ଜୀବନଦୀପ, ସାଇ, ଜୟା ପଞ୍ଜିକରଣ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବେଆଇନ ନର୍ସିଂ ହୋମ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ୧୯୯୩ ମସିହାରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ଏହିଭଳି ଅଣସ୍ୱିକୃତିପ୍ରାପ୍ତ କର୍ମଚାରୀ ତଥା ସଂସ୍ଥା ସମାଜ ପାଇଁ ବିପଦପୂର୍ଣ୍ଣ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନ୍ୟାୟାଳୟର ଏହି ସ୍ପର୍ଶକାତର ରାୟକୁ ଅଣଦେଖା ପ୍ରଦର୍ଶନ କରିଆସୁଥିବାରୁ ଗତ ୨୦୧୦ରେ ବହଳଦାର ଶୁକଦେବ ସାହୁଙ୍କ ଝିଅ ଜ୍ୟୋତି ସ୍ଥାନୀୟ ଶଙ୍ଖପଟାରେ ଏକ ମେସରେ ରହି ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ବାଣିଜ୍ୟରେ ଦ୍ୱିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଥିବା ସମୟରେ ୨୦୧୦ ଅକ୍ଟୋବର ୩୦ ରାତିରେ ତାଙ୍କୁ ବାନ୍ତି ସହିତ ପାଇଖାନା ହେବାରୁ ହସପିଟାଲ ନିକଟରେ ଥିବା ଚାନ୍ଦ ଡ଼ାକ୍ତରଙ୍କ ନିକଟରେ ଚିକିତ୍ସା ହେଉଥିଲେ । ମାତ୍ର ଭଲ ନ ହେବାରୁ ବାରିପଦା ହସପିଟାଲରେ ୩୧/୧୦/୨୦୧୦ ପୂର୍ବାହ୍ନ ପ୍ରାୟ ସାଢ଼େ ୭ଟା ସମୟରେ ଭର୍ତି କରାଯାଇଥିଲା ଓ ୧୦.୪୫ରେ ମୃତ୍ୟୁ ହୋଇଥିଲା । ଏହାପରେ ହସପିଟାଲ ପରିସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉତେଜନା ଦେଖା ଦେବାରୁ ଏକ ଯୁଗ୍ମ କମିଟି ମାଧ୍ୟମରେ ଜ୍ୟୋତି ମୃତ୍ୟୁର ତଦନ୍ତ କରାଯିବାର ନିଷ୍ପତି ନିଆଯାଇଥିଲା । ପ୍ରଥମେ ଜ୍ୟୋତିକୁ ଚିକିତ୍ସା କରିଥିବା ଡ଼ାକ୍ତର ଚାନ୍ଦଙ୍କ ଚିକିତ୍ସା ସହିତ ତାଙ୍କର ଡ଼ାକ୍ତରୀ ସାର୍ଟିଫିକେଟର ଯାଂଚ୍ କରାଯିବା ବିଷୟ ଉଠିଥିଲା । କିନ୍ତୁ ପରବର୍ତି ସମୟରେ ତଦନ୍ତ ତଦନ୍ତ ସ୍ଥାନରେ ରହିଗଲା ।
୨୦୧୩ ମାର୍ଚ୍ଚରେ ବାରିପଦା ପୌରପରିଷଦର ୧୭ ନମ୍ବର ୱାର୍ଡ଼ର ଶେକ୍ ସଫିକ୍(ମୁନୁ)ଙ୍କ ପୁଅ ଶେକ୍ ସାହିଦ(ସୋନୁ) ସାଇକେଲ ଚଳାଉଥିବା ବେଳେ ତଳେ ପଡ଼ିଯିବାରୁ ତାଙ୍କର ଗୋଡ଼ ଫୁଲିଯାଇଥିଲା । ଡ଼ାକ୍ତର ପରମେଶ୍ୱର ସିଂଙ୍କୁ ଦେଖାଇବାରୁ ସାଇରେ ଏକ୍ସ-ରେ କରାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ଡ଼ାକ୍ତର ରିପୋର୍ଟ ଦେଖି ଟିବି ହୋଇଥିବାର ପ୍ରେସକ୍ରିପସନ କରଥିଲେ । ଶେକ୍ ସଫିକ୍ ଔଷଧ କିଣି ଥିଲେ ମଧ୍ୟ ମନରେ ସନ୍ଦେହ ହେବାରୁ ପୁଅ ଶେକ୍ ସାହିଦଙ୍କୁ ଧରି କଟକ ଯିବା ପରେ ଶରୀରରେ ଟିବି ଦୂରର ବିଷୟ କୌଣସି ରୋଗ ନ ଥିବାର ଜଣାପଡ଼ିଥିଲା । ସେହିପରି ଏକ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ତଥା ଚିତ୍ରଡ଼ା ଅଂଚଳର ମୃତ୍ୟୁଞ୍ଜୟ ସେନାପତିଙ୍କ ପୁତୁରା ସତ୍ୟଜିତ୍ ଓରଫ ଶୁଭମ୍ ସେନାପତି(୬)ଙ୍କୁ ଜ୍ୱର ନ ଛାଡ଼ିବାରୁ ବାରିପଦାରେ ଡ଼ାକ୍ତରଙ୍କୁ ଦେଖାଇ ସହରରେ ଥିବା ଏକ ଘରୋଇ ପାଥୋଲ୍ୟାବରେ ରକ୍ତ ପରୀକ୍ଷା କରାଇବା ପରେ ରକ୍ତରେ ଡ଼େଙ୍ଗୁ ଜୀବାଣୁ ଥିବାର ରିପୋର୍ଟ ମିଳିଥିଲା । ଫଳରେ ପରିବାରର ସଦସ୍ୟମାନେ ବିଚଳିତ ହୋଇ ଶୁଭମଙ୍କୁ କଟକ ନେବା ପରେ ସେଠାରେ ଡ଼େଙ୍ଗୁ ବଦଳରେ ରିପୋର୍ଟରୁ ମ୍ୟାଲେରିଆ ବାହାରିଥିଲା ।ସ୍ୱାସ୍ଥ୍ୟସେବା ନାମରେ କେତେକ ଅନଭିଜ୍ଞ, ଦାୟିତ୍ୱହୀନ ତଥା ଅର୍ଥଲୋଭୀ ବ୍ୟକ୍ତି ବିଶେଷଙ୍କ ପାଇଁ ରୋଗୀମାନେ ମରଣ ମୁହଁକୁ ଠେଲି ହୋଇଯାଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ସତ୍ୱେ ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏମାନେ ମହାମାରୀ ଭଳି ସ୍ୱାସ୍ଥ୍ୟସେବାକୁ କବଳିତ କରିବାକୁ ବସିଲେଣି । ଏଣେ ମୁଖ୍ୟମନ୍ତ୍ରୀ ନବୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ମୋ ସରକାର ସହ ୫ଟି କାର୍ଯ୍ୟକ୍ରମ ପ୍ରଚଳନ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରଶାସନିକ ଉଦାସୀନତା କାରଣରୁ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । 

