ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୨୬ରେ ରାଜ୍ୟର ଚୋରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଲାଗି ଶୁକ୍ରବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଥିବା ଦାଶରଥୀ ଶତପଥୀ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ସହିତ ମୋଟ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୩, ୨୦୨୦ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୧୬, ୨୦୨୦ରେ ନାମାଙ୍କନପତ୍ର ଯାଂଚ କରାଯିବ । ସେହିପରି ମାର୍ଚ୍ଚ ୧୮, ୨୦୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୨୬, ୨୦୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟା ରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ଣ୍ନ ୫ଟାରେ ଭୋଟ ଗଣତି ହେବ । ମାର୍ଚ୍ଚ ୩୦, ୨୦୨୦ ସୁଦ୍ଧା ନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବ ।
ସୂଚନାଯୋଗ୍ୟ, ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି । ସେହିପରି ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ବ୍ରମ୍ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେବ ।
ଉଲ୍ଲେଖନୀୟ ଯେ ଏହି ନିର୍ବାଚନ ପାଇଁ ନିର୍ବାଚନ କମିଶନର ଗତ ୩ ତାରିଖ ଦିନ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କୁ ରିଟର୍ଣ୍ଣିଂ ଅଫିସର , ଶିଶିରକାନ୍ତ ସ୍ୱାଇଁ ସହକାରୀ ରିଟର୍ଣ୍ଣିଂ ଅଫିସର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ନିର୍ବାଚନର ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କମିଶନର ନିଯୁକ୍ତି ଦେଇଥିଲେ ।