ଭୁବନେଶ୍ୱର – ଆଗକୁ ରଙ୍ଗର ପର୍ବ ହୋଲି । ମାତ୍ର ବର୍ତମାନ ବଜାରରେ ଉପଳବ୍ଧ ରାସାୟନିକ ରଙ୍ଗ ଆମ ସମସ୍ତଙ୍କ ପାଇଁ ସାଜିଛି ଘାତକ । ମାତ୍ରାଧିକ ରାସାୟନିକ ବ୍ୟବହାର ହେଉଥିବାରୁ ରାସାୟନିକ ରଙ୍ଗର ବିକ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ପରିବେଶବିତ୍ ସୁଶାନ୍ତ ସାହୁ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ରଙ୍ଗରେ ବ୍ୟବହୃତ ହେଉଥିବା କପର ସଲ୍ଫେଟ୍ରୁ ପ୍ରସ୍ତୁତ ହୋଇଥାଏ ସବୁଜ ରଙ୍ଗ । ଏହା ଶରୀର ସଂସ୍ପର୍ଶରେ ଆସିଲେ ଦୃଷ୍ଟିଶକ୍ତି କ୍ଷୀଣ କରିଦେଇଥାଏ । ଆଲୁମିନିୟମ୍ ବ୍ରୋମାଇଡ୍ରୁ ସିଲ୍ଭର
ରଙ୍ଗ । ଯାହା ଶରୀରରେ କ୍ୟାନ୍ସର ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ମରକ୍ୟୁରି ସଲ୍ଫାଇଟ୍ରୁ ଲାଲ୍ ରଙ୍ଗ । ଯାହା ଚର୍ମ କର୍କଟ ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ଲିଡ୍ ଅକ୍ସାଇଡ୍ରୁ କଳା ରଙ୍ଗ । ଯାହା କିଡ୍ନୀର କାର୍ଯ୍ୟକୁ ବନ୍ଦ କରିଦେବା ସହ ବ୍ୟକ୍ତିକୁ ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ସତେ ଯେମିତି ରଙ୍ଗ ଡ଼ାକୁଛି ରୋଗକୁ । ଏହି ରଙ୍ଗ ମଧ୍ୟ ଜଳ ସମ୍ପଦକୁ ପ୍ରଦୂଷିତ କରିଥାଏ । ଜଳଜୀବଙ୍କ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଏଥିପାଇଁ ପଦକ୍ଷେପ ନେବାକୁ ଶ୍ରୀ ସାହୁ ଦାବି କରିଛନ୍ତି ।