ନୂଆଦିଲ୍ଲୀ– ଦିଲ୍ଲୀରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଶୁକ୍ରବାର ଦିଲ୍ଲୀରେ ଏ ସମ୍ପର୍କିତ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରାନ୍ତ ଉତମ ନଗର ନିବାସୀ । ସେ ନିକଟରେ ଥାଇଲାଣ୍ଡ ଏବଂ ମାଲେସିଆରୁ ଫେରିଥିଲେ । ଏଥି ସହିତ ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୧ ରେ ପହଂଚିଛି । ତନ୍ମଧ୍ୟରେ ୧୬ ଜଣ ଇଟାଲିର ନାଗରିକ ରହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଏହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପ୍ରତି ସ୍ଥିର ରହିଛି । ଏବଂ ସେମାନଙ୍କ ଚିକିତ୍ସା ଜାରୀ ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ବିମାନ ବନ୍ଦର ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏଠାରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ୨୧ ଟି ବିମାନ ବନ୍ଦର ବ୍ୟତୀତ ଏବେ ଅନ୍ୟ ୯ଟି ଏୟାରପୋର୍ଟରେ ଥର୍ମାଲ୍ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।