ଭୁବନେଶ୍ୱର – ସିଆଇଟିୟୁ ଦ୍ୱାରା ଅନୁବନ୍ଧିତ ସର୍ବ ଭାରତୀୟ କର୍ମଜୀବୀ ମହିଳା ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ଦାବି ଶୁକ୍ରବାର ଦିନ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି ।
ମହିଳାମାନଙ୍କୁ କାମର ସ୍ୱିକୃତୀ ପ୍ରଦାନ , ମହିଳାମାନଙ୍କ ଅବୈତନିକ କାମର ହିସାବ , ୪୫ତମ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶକୁ କାର୍ଯ୍ୟକାରୀ କରିବା ଆଦି ଦାବିରେ ଶୁକ୍ରବାର ଦେଶବ୍ୟାପୀ କର୍ମଜୀବୀ ମହିଳାମାନଙ୍କର ଆନ୍ଦୋଳନଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି , ଉପସଭାପତି ଲମ୍ବୋଦର ନାୟକ , ସମ୍ପାଦକ ମିଷ୍ଣୁ ମହାନ୍ତି , ସୁରେଶ ରାଉତରାୟ ଏବଂ ପୁଷ୍ପା ଦାସ ପ୍ରମୁଖଙ୍କ ନେତୃତ୍ୱରେ ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ସିଆଇଟିୟୁ ନେତୃବୃନ୍ଦମାନେ କହିଥିଲେ ଯେ ମହିଳାମାନେ ଯେତେ କାର୍ଯ୍ୟ କଲେ ମଧ୍ୟ ସମାଜ ଓ ସରକାର ସ୍ୱିକୃତୀ ଦେଇ ନଥାଏ । ମହିଳାମାନେ ସର୍ବନିମ୍ନ ମଜୁରୀ ବା ଅବୈତନିକ ଭାବେ କାର୍ଯ୍ୟ କରୁଛନ୍ତି । ବିପଦଜନକ କାର୍ଯ୍ୟରେ ମହିଳାମାନଙ୍କୁ ନିୟୋଜିତ କରାଯାଉଛି । କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ପ୍ରତି ନିର୍ଯାତନା ବିରୁଦ୍ଧରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।