ନୂଆଦିଲ୍ଲୀ– ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲା ଉପରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ଶୁଣାଣୀ ପାଇଁ ଦାବି କରିଛନ୍ତି ବରିଷ୍ଠ ଓକିଲ କପିଲ ଶିବଲ । ମୁଖ୍ୟ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଅଧିକାର ବନାମ ଧାର୍ମିକ ପରମ୍ପରା ମାମଲାର ଶୁଣାଣୀ ପରେ ଏହା ଉପରେ ଶୁଣାଣୀ ହେବ ।
ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି ଯେ, ସରକାର ଆଗାମୀ ସପ୍ତାହରେ ଆବେଦନ ଉପରେ ଜବାବ ଦାଖଲ କରିବେ । ଗତ ମାର୍ଚ୍ଚ ୩ ତାରିଖରେ ମିଳିତ ଜାତିସଂଘ ମାନବାଧିକାର କମିଶନ ସିଏଏ ଉପରେ ଦାଖଲ ହୋଇଥିବା ଆବେଦନ ମାମଲାରେ ନିଜକୁ ପକ୍ଷଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ।
ଗତ ଜାନୁଆରୀ ୨୨ ତାରିଖରେ ସିଏଏ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଥିଲେ । କୋର୍ଟ ଦର୍ଶାଇଥିଲେ ଯେ, ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିବେ । ୪ ସପ୍ତାହ ମଧ୍ୟରେ ଏନେଇ ଜବାବ ଦାଖଲ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଆସାମ ସମ୍ବନ୍ଧିତ ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ।