ଜମ୍ମୁ– ଜମ୍ମୁ-କଶ୍ମିରର ବଡ଼ଗାଓଁ ଜିଲ୍ଲାର ସୋପର ବାରପୋରା ଅଂଚଳରେ ବୁଧବାର ସଂନ୍ଧ୍ୟାରେ ବଜାରରେ କିଛି ସାମଗ୍ରୀ କିଣୁଥିବା ଦୁଇ ଜଣ ଏସପିଓଙ୍କ ଉପରେ ଅଚାନକ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଆତଙ୍କବାଦୀଙ୍କ ତଲାସରେ ଆଜି ଗୁରୁବାର ଦ୍ୱିତୀୟ ଦିନରେ ମଧ୍ୟ ତଲାସୀ ଅଭିଯାନ ଜାରୀ ରହିଛି । ସୁରକ୍ଷାବାହିନୀର ଯବାନ ମାନେ ସମ୍ପୃକ୍ତ ଅଂଚଳରେ ଛାନଭିନ୍ ଜାରୀ ରଖିଛନ୍ତି । ସମ୍ପୃକ୍ତ ଅଂଚଳକୁ ଯାତାୟାତ ନିମନ୍ତେ ରହିଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ ଆତଙ୍କବାଦୀ ମାନେ ଏଠାରେ ଲୁଚି ରହିଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଜୀବନ୍ତ ଧରାଯିବ, ନଚେତ୍ ମରାଯିବ ।
ଜିଲ୍ଲାର ସୋପର ବାରପୋରା ଅଂଚଳରେ ଗତକାଲି ସଂନ୍ଧ୍ୟାରେ ଏସପିଓ ବଜାହତ ଅହମ୍ମଦ ଓ ଏସପିଓ ସୌକତ ବଜାରରେ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣୁଥିବା ବେଳେ ନିକଟରେ ଲୁଚି ରହିଥିବା ଆତଙ୍କବାଦୀ ମାନେ ଅଚାନକ ଉଭୟଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏପରିକି ସେମାନେ ଘଟଣାସ୍ଥଳରୁ ଫେରାର୍ ହେବାରେ ସଫଳ ହୋଇଥିଲେ । ଏହି ଆକ୍ରମଣରେ ଦୁଇ ଜଣ ଏସପିଓ ତଥା ଜଣେ ଦୋକାନୀ ଆହତ ହୋଇଛନ୍ତି । ଗୁଳିମାଡ଼ର ଶବ୍ଦ ଶୁଣି ପୋଲିସ ଓ ସିଆରପିଏଫର ଯବାନ ମାନେ ଘଟଣାସ୍ଥଳରେ ପହଂଚିଥିଲେ । ଏବଂ ଆହତ ମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ଡୁ୍ୟଟିରେ ଥିବା ଡ଼ାକ୍ତର ଏସପିଓ ବଜାହତ ଅହମ୍ମଦ ଓ ସମ୍ପୃକ୍ତ ଦୋକାନୀଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡରେ ଆହତ ଏସପିଓ ସୌକତ ସମ୍ପ୍ରତି ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି ।
ଅନ୍ୟପକ୍ଷରେ ସୁରକ୍ଷା ବାହିନୀର ଯବାନ ମାନେ ଆତଙ୍କବାଦୀଙ୍କୁ ଦମନ ପାଇଁ ସମ୍ପୃକ୍ତ ଅଂଚଳରେ ଘେରାବନ୍ଦୀ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ ଅଭିଯାନ ଜାରୀ ରଖିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଧରାନପଡିବାରୁ ଅଭିଯାନକୁ ବନ୍ଦ ରଖାଯାଇଥିବା ବେଳେ ଗୁରୁବାର ସକାଳୁ ଏହି ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି । ସର୍ଚ୍ଚ ଅପରେସନ ବେଳେ ସମ୍ପୃକ୍ତ ଅଂଚଳରେ ଥିବା କୋଠା ଗୁଡିକୁ ମଧ୍ୟ ଯାଂଚ୍ କରାଯାଉଛି । ଯେପରି ଆତଙ୍କବାଦୀ ମାନେ ସହଜରେ ଘଟଣାସ୍ଥଳରୁ ଫେରାର୍ ନହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଚଳକୁ ଯାତାୟାତ ନିମନ୍ତେ ରହିଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି ।