କଟକ- ପୂର୍ବରୁ ଦୁଇ ଜଣ ମହିଳା କିଡ଼ନୀ ଦାନ କରିଥିବା ବେଳେ ଏଥିରେ ଆଉ ଜଣେ ମହିଳା ସାମିଲ୍ ହୋଇଛନ୍ତି । ଏହି ମହିଳା ଜଣକ ପୁରୀ ଜିଲ୍ଲା ଡ଼େଲାଙ୍ଗ ଅଂଚଳର ରାଜଲକ୍ଷ୍ମୀ ଦାସ । ଫଳରେ ଗତ ମାସରେ ରାଜ୍ୟରେ ୨ଟି କାଡ଼ାଭେରିକ ଟ୍ରାନ୍ସପ୍ଲାଂଟ ସଫଳତାର ସହ ଶେଷ ହୋଇଥିବା ବେଳେ ଆଜି କଟକ ଏସସିବିରେ ହେବ ତୃତୀୟ ଟ୍ରାନ୍ସପ୍ଲାଂଟ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଏକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ରାଜଲକ୍ଷ୍ମୀଙ୍କୁ ଗତକାଲି ଡ଼ାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହା ପରେ ତାଙ୍କ ସ୍ୱୀମୀ, ପୁଅ ତଥା ପରିବାର ଲୋକେ ଏଭଳି ଏକ ବଡ଼ ନିଷ୍ପତି ନେଇଥିଲେ । ମୟୂରରଭଞ୍ଜ ଜିଲ୍ଲାର ରୀତାରାଣି ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ଏହି କିଡ଼ନୀ ପ୍ରତିରୋପଣ କରାଯିବ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ପୂର୍ବାହ୍ନରେ ହାଇଟେକ୍ ହସ୍ପିଟାଲରୁ ଡ଼ାକ୍ତରୀ ଟିମ୍ ତାଙ୍କ ଶରୀରରୁ କିଡ଼ନୀକୁ ସୁରକ୍ଷିତ ଭାବେ ବାହାର କରିବା ପରେ ଏହାକୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଯାଇଛି । ସେଠାରେ ଏହା ପହଂଚିବା ପରେ କିଡ଼ନି ପ୍ରତିରୋପଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଥି ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କାରାଣୀ ପାତ୍ର ଦୁର୍ଘଟଣାରେ ଗୁରୁତର ହୋଇ ବ୍ରେନ୍ ଡେଡ୍ ହେବା ପରେ ଫେବୃଆରୀ ୩ ତାରିଖରେ ପରିବାର ଲୋକେ ତାଙ୍କ କିଡ଼ନୀ ଦାନ କରିଥିଲେ । ସେହିପରି ଗତ ସପ୍ତାହରେ ଭୁବନେଶ୍ୱରର ସୁଚିତ୍ରା ଦାଶ ନାମ୍ନୀ ମହିଳା କିଡ଼ନୀ ଦାନ କରିଥିଲେ ।