ନୂଆଦିଲ୍ଲୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗୁରୁବାର ଦୋଷୀମାନଙ୍କ ବିରୋଧରେ ପଟିଆଲା ହାଉସ୍ କୋର୍ଟ ଏକ ନୂତନ ଡେଥ୍ ୱାରେଂଟ ଜାରି କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ରେ ଚାରିଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ବିଚାରପତି ଧର୍ମେନ୍ଦ୍ର ରାଣା ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ୩ ଥର ଡେଥ୍ ୱାରେଂଟ ଜାରୀ ହୋଇଥିଲେ ହେଁ ଆଇନଗତ କାରଣ ପାଇଁ ଏଗୁଡିକୁ ଖାରଜ କରାଯାଇଥିଲା । ତେଳେ ଏଥର ଦୋଷୀ ମାନଙ୍କର ସମସ୍ତ ଆବେଦନ ଶେଷ ହୋଇଯାଇଥିବାରୁ ଚଳିତ ଥର ଫାଶୀ ସୁନିଶ୍ଚିନ୍ତ ବୋଲି ଆଶା କରିଛନ୍ତି ସରକାରୀ ଓକିଲ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ଦୋଷୀମାନଙ୍କ ଫାଶୀ ଦେବାକୁ ତୃତୀୟ ଥର ପାଇଁ ଡେଥ୍ ୱାରେଂଟ ଜାରୀ କରିଥିଲେ କୋର୍ଟ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା । ରାଷ୍ଟ୍ରପତି ଗତକାଲି ପବନର କ୍ଷମା ଆବେଦନକୁ ଖାରଜ କରିଥିଲେ । ଫଳରେ ନିର୍ଭୟା ମାମଲାର ୪ ଦୋଷୀଙ୍କ ସବୁ ବିକଳ୍ପ ଶେଷ ହୋଇଥିଲା । ସୁପ୍ରିମ୍ କୋର୍ଟ ପବନର କ୍ୟୁରେଟିଭ ପିଟିସନ୍ କୁ ଖାରଜ କରିବାର ମାତ୍ର କେଇ ଘଂଟା ପରେ ପବନ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା । ଏଥିପାଇଁ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ତାରିଖ ଘୁଂଚିଥିଲା । ଏହା ପୂର୍ବରୁ ନିର୍ଭୟା ମାମଲାର ଅନ୍ୟ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିଲା ।