ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୨୬ରେ ରାଜ୍ୟସଭାର ୫୫ଟି ଆସନ ପାଇଁ ହେବ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତାକାଲି (ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇବ ।ଏହି ୫୫ଟି ରାଜ୍ୟସଭା ଆସନ ମଧ୍ୟରୁ ଚାରୋଟି ଆସନ ଓଡିଶାର ରହିଛି । ଗତ ଫେବୃଆରୀ ୨୫ ତାରିଖ ଦିନ ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କରେ ତାରିଖ ଘୋଷଣା କରିଥିଲେ ।
ଏଥି ପାଇଁ ଗତ ୩ ତାରିଖରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କୁ ରିଟର୍ଣ୍ଣିଂ ଅଫିସର , ଶିଶିରକାନ୍ତ ସ୍ୱାଇଁ ସହକାରୀ ରିଟର୍ଣ୍ଣିଂ ଅଫିସର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ନିର୍ବାଚନର ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କମିଶନର ନିଯୁକ୍ତି ଦେଇଛନ୍ତି ।
ଏପ୍ରିଲ ୦୨, ୨୦୨୦ରେ ମହାରାଷ୍ଟ୍ରର-୭, ଓଡିଶାର-୪, ତାମିଲନାଡୁର-୬, ପଶ୍ଚିମବଙ୍ଗର-୫ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରିବେ । ସେହିପରି ୦୯.୦୪.୨୦୨୦ରେ ଆନ୍ଧ୍ରପ୍ରଦେଶର-୪, ତେଲଙ୍ଗାନାର-୨, ଆସାମର-୩, ବିହାରର-୫, ଛତିଶଗଡର-୨, ଗୁଜରାଟର-୪, ହରିୟାଣାର-୨, ହିମାଚଳପ୍ରଦେଶର-୧, ଝାଡଖଣ୍ଡର-୨, ମଧ୍ୟପ୍ରଦେଶର-୩, ମଣିପୁରର-୧, ରାଜସ୍ଥାନର-୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ସେହିପରି ୧୨.୦୪.୨୦୨୦ରେ ମେଘାଳୟର ଜଣେ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରିବେ ।
ଭାରତର ନିର୍ବାଚନ ଆୟୋଗ ନିଷ୍ପତି ନେଇଛନ୍ତି ଯେ, ଖାଲି ହେଉଥିବା ଉପରୋକ୍ତ ରାଜ୍ୟସଭା ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୦୬, ୨୦୨୦ରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩, ୨୦୨୦ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୧୬, ୨୦୨୦ରେ ନାମାଙ୍କନପତ୍ର ଯାଂଚ କରାଯିବ । ସେହିପରି ମାର୍ଚ୍ଚ ୧୮, ୨୦୨୦ରେ ନାମାଙ୍କନପତ୍ର ପ୍ରତ୍ୟାହରର ଶେଷ ତାରିଖ ହୋଇଥିବା ବେଳେ ମାର୍ଚ୍ଚ ୨୬, ୨୦୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟା ରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ଣ୍ନ ୫ଟାରେ ଭୋଟ ଗଣତି ହେବ । ମାର୍ଚ୍ଚ ୩୦, ୨୦୨୦ ସୁଦ୍ଧା ନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବ ।
ସୂଚନାଯୋଗ୍ୟ, ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି । ସେହିପରି ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ବ୍ରମ୍ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେବ ।