-
ନୂତନ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ
-
ବିଗତ ତିନି ବର୍ଷରେ ୧,୪୦,୦୦୦ କୋଟି ଟଙ୍କାର ଋଣ ପରିଶୋଧ କରିବା ପରେ ଏହା ନିରନ୍ତର ହାଲୁକା ବାଲାନ୍ସ ସିଟ୍ ହାସଲ କରିଛି
-
ପ୍ରାକ୍ ବ୍ୟବସାୟଗୁଡ଼ିକରୁ ୧,୦୦,୦୦୦ କୋଟି ଟଙ୍କାର ନଗଦ ପ୍ରବାହ ଜାରି ରହିଛି
-
ପ୍ରମୁଖ ଇସ୍ପାତ ଓ ଶକ୍ତି ବ୍ୟବସାୟରେ ବ୍ୟବସାୟ ଓ ନିୟାମକ ଆବହାନ ସତ୍ୱେ ବିଶ୍ୱ ସ୍ତରୀୟ ବ୍ୟବସାୟ ସୃଷ୍ଟି କରିବା ଲାଗି ଏହାର ଅଭିଳାଷ ପ୍ରଭାବିତ ହୋଇନଥିବା କଂପାନି ଦାବି କରିଛି
ଭୁବନେଶ୍ୱର :୧୦ ବିଲିଅନ ଡଲାରର ଏସାର ଗ୍ରୁପ୍ ଏହାର ୫୦ତମ ବାର୍ଷିକ ଉତ୍ସବ ପାଳନକୁ ବ୍ୟାପକ ପ୍ରଭାବଶାଳୀ ସଂପର୍କ ଜରିଆରେ ଆରମ୍ଭ କରିଛି । ରାଜନୈତିକ ଶ୍ରେଣୀ, ପ୍ରଶାସନ ଏବଂ ସାମାଜିକ କାର୍ଯ୍ୟକଳପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିମାନଙ୍କ ପାଖକୁ ଏକ ମେଲ୍ ପଠାଇ ଏସାର୍ ଗ୍ରୁପ୍ ଜଣାଇଛି ଯେ ଏହା ନିଜର ପୁରୁଣା ବ୍ୟବସାୟ ପୋର୍ଟଫୋଲିଓର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ସହିତ ନୂଆ ଅଭିବୃଦ୍ଧି ପଥରେ ପ୍ରବେଶ କରିବା ଲାଗି ପ୍ରସ୍ତୁତ ହୋଇଛି ।
ନୂତନ ଅଭିବୃଦ୍ଧି କ୍ଷେତ୍ରଗୁଡ଼ିକ କ’ଣ ଯାହା ଏସାର ନିର୍ଦିଷ୍ଟ ଭାବେ ଜଣାଇ ନଥିଲେ ମଧ୍ୟ ଏହା ସଙ୍କେତ ଦେଇଛି ଯେ ଉଦୀୟମାନ ସ୍ଥାନୀୟ ଏବଂ ଅର୍ଥନୈତିକ ପରିସ୍ଥିତିକୁ ନଜରରେ କରି ଋଣ ପରିମାଣ ହ୍ରାସ କରିବା ନିମନ୍ତେ ନିଷ୍ପତି ନେବା ପରେ ଏହାର ପାଖରେ ଏବେ ନିରନ୍ତର ହାଲୁକା ବାଲାନ୍ସ ସିଟ୍ ରହିଛି । ଏହି ବହୁଦେଶୀୟ ସଂସ୍ଥା ଜଣାଇଛି ଯେ ବିଗତ ତିନି ବର୍ଷ ଭିତରେ ଏହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ୧,୪୦,୦୦୦ କୋଟି ଟଙ୍କା (୨୦ ବିଲିଅନ ଡଲାର)ର ଋଣ ପରିଶୋଧ କରିଛି । ଅତୀତକୁ ପଛରେ ଛାଡ଼ି ଦେଇଥିବାର ସ୍ପଷ୍ଟ ସଙ୍କେତ ପ୍ରଦାନ କରି ଏସାର ଜଣାଇଛି ଯେ ଆମର ସୁଦୃଢ଼ କଂପାନିଗୁଡ଼ିକର ପୋର୍ଟଫୋଲିଓ ଏବେ ସୁସ୍ଥକର ଏବଂ ନିରନ୍ତର ଆୟ ହାସଲ କରୁଛନ୍ତି ଏବଂ ସାମଗ୍ରିକ ରାଜସ୍ୱ ପରିମାଣ ୧,୦୦,୦୦୦ କୋଟି ଟଙ୍କା (୧୪ ବିଲିଅନ ଡଲାର) ରହିଛି ।
କେଉଁ ଧରଣର ପୁଞ୍ଜିନିବେଶ କରିବ ସେ ବିଷୟରେ କୌଣସି ସୂଚନା ଦେଇନଥିଲେ ମଧ୍ୟ ବନ୍ଦର, ଇସ୍ପାତ କାରଖାନା, ତୈଳ ବିଶୋଧନ ଏବଂ ରିଟେଲ୍, ତୈଳ ଓ ଗ୍ୟାସ ଉତୋଳନ ଏବଂ ଉତ୍ପାଦନ, ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ପରିବହନ, ଖଣି, ଜାହାଜ ଏବଂ ଟେଲିକମ କ୍ଷେତ୍ରରେ ଏସାର ଗ୍ରୁପ୍ର ବ୍ୟାପକ ଇକ୍ୱିଟି ଅଂଶଧନ ସହିତ ଏହା ୨,୦୦,୦୦୦ କୋଟି ଟଙ୍କାର (୨୮ ବିଲିଅନ ଡଲାର) ପୁଂଜି ନିବେଶ କରି ଏହା ଦେଶର ବିକାଶରେ ପ୍ରମୁଖ ଭୂମିକାନିର୍ବାହ କରିବ ବୋଲି ସୂଚନା ଦେଇଛି । ଏସାର ଦାବି କରିଛି ଯେ ଏହି ସବୁ କ୍ଷେତ୍ରରେ ଏହା ବହୁତ ଭଲ ସଂପତି ସୃଷ୍ଟି କରିଛି, ହଜାର ହଜାର ନିଯୁକ୍ତି ସୃଷ୍ଟି କରିଛି ଏବଂ ଟିକସ ଓ ରୟାଲଟି ଜରିଆରେ ଭାରତୀୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ଅବଦାନ ପ୍ରଦାନ କରିଛି ।
ଏସାର ପକ୍ଷରୁ ଅବଗତ କରାଯାଇଛି ଯେ ସମସ୍ତ ପ୍ରକାର ଅଂଶୀଦାରଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ଲାଗି ଏହା ଉଦ୍ୟମିତା ଦକ୍ଷତା, ବ୍ୟାପକ ମାନବ ସମ୍ବଳ ଏବଂ ନୂତନ ସୁଯୋଗକୁ ହାତେଇ ନୂତନତା ଆଣିବା ଲାଗି ଦଶନ୍ଧୀର ଅଭିଜ୍ଞତାକୁ ଏହା ବ୍ୟବହାର କରିବ । ଏହି ପତ୍ରରେ ଯୁଗ୍ମ ଭାବେ ରବି ରୁଇୟା ଓ ପ୍ରଶାନ୍ତ ରୁଇୟା ସ୍ୱାକ୍ଷର କରିଛନ୍ତି ।
ଏସାର ଜଣାଇଛି ଯେ ଏହାର ବର୍ତମାନର ବ୍ୟବସାୟ ବିଶେଷ କରି ଶକ୍ତି, ଧାତବ ଓ ଖଣି, ଭତିଭୂମି, ସେବା ଓ ପ୍ରଯୁକ୍ତି କ୍ଷେତ୍ରରେ ରହିଛି । ଶକ୍ତି କ୍ଷେତ୍ରରେ ଏହାର ଭାରତ, ଭିଏତନାମ ଓ ନାଇଜେରିଆରେ ତୈଳ, ଗ୍ୟାସ, କୋଲ ବେଡ ମିଥେନ ଉତୋଳନ ଏବଂ ଉତ୍ପାଦନ, ବ୍ରିଟେନରେ ତୈଳ ବିଶୋଧନ ଓ ରିଟେଲିଂ ଏବଂ ଭାରତ ଏବଂ କାନାଡାରେ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଗ୍ରହ ରହିଛି ।
ଭିତିଭୂମିରେ, ଏସାର କହିଛି ଯେ, ଏହା ଭାରତ, ବ୍ରିଟେନ ଓ ଆଫ୍ରିକାରେ ବନ୍ଦର ଓ ଟର୍ମିନାଲ୍ ପରିଚାଳନା କରୁଛି ଏବଂ ଭାରତ ଏବଂ ମଧ୍ୟ ପ୍ରାଚ୍ୟର ଟର୍ଣ୍ଣକି ପ୍ରକଳ୍ପ ନିର୍ମାଣରେ ଏହାର ଆଗ୍ରହ ରହିଛି । ଧାତବ ଓ ଖଣି କ୍ଷେତ୍ରରେ ଏସାର ଗ୍ରୁପ୍ର ଆମେରିକା ଓ ଇଣ୍ଡୋନେସିଆରେ ଲୁହା ପଥର ଖଣି, ପେଲେଟାଇଜେସନ ଏବଂ କୋଇଲା ଖଣି ଉପରେ ଆଗ୍ରହ ରହିଛି । ନୂତନ ପିଢ଼ିର ସେବାରେ ଏସାର କହିଛି ଯେ ଏହାର ଡିଜିଟାଲ ସମାଧାନ ଏବଂ ଭାରତ, ୟୁରୋପ ଓ ଆମେରିକାରେ ଗ୍ରାହକ ଅନୁଭୂତି ପ୍ଲାଟଫର୍ମରେ ବ୍ୟବସାୟ ଆଗ୍ରହ ରହିଛି ।
ଏସାର ଏହାର ପତ୍ରରେ ଜଣାଇଛି ଯେ, “ଜୀବିକା ଓ ଉଦ୍ୟମିତା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି ଓ ପରିବେଶ ଭଳି କ୍ଷେତ୍ରରେ ଗୋଷ୍ଠୀ ଉନ୍ନତି ଭିତିକ କାର୍ଯ୍ୟକ୍ରମ ଜରିଆରେ ଆମେ ଆମର କର୍ପୋରେଟ ସାମାଜିକ ଦାୟିତ୍ୱବୋଧକୁ ପାଳନ କରୁଛୁ । ଏହି ସବୁ କାର୍ଯ୍ୟକ୍ରମ ୮ଟି ଭାରତୀୟ ରାଜ୍ୟର ୫୦୦ ଗ୍ରାମର ୫୦୦,୦୦୦ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ।’’
୫୦ ବର୍ଷର ଯାତ୍ରାର ସ୍ମୃତିଚାରଣ କରି ଏସାର ପ୍ରତିଫଳିତ କରିଛି ଯେ ଏହାର ପ୍ରମୁଖ ଇସ୍ପତ ଓ ଶକ୍ତି ବ୍ୟବସାୟରେ ଏହା ଅନେକ ବ୍ୟବସାୟ ଓ ନିୟାମକ ଆହ୍ୱାନକୁ ସାମ୍ନା କରିଛି ଯାହା ଆମକୁ ସବୁଠୁ ଅଧିକ ପ୍ରଭାବିତ କରିଛି । ୨୦୧୨ରେ ପ୍ରତିବଦ୍ଧ ଥିବା ଏସାର ଷ୍ଟିଲ୍ କମ୍ପେ୍ଲକ୍ସର ଗ୍ୟାସ ଯୋଗାଣ ଚୁକ୍ତିକୁ ପ୍ରତ୍ୟାହାର କରାଯାଇଥିଲା ଏବଂ ୨୦୧୪ରେ ଆବଂଟିତ କୋଇଲା ଖଣିର ଆବଟଂନ ରଦ୍ଦ ହୋଇଥିଲା, ଯେଉଁଥିପାଇଁ ଆମର ଅନେକ ପ୍ରମୁଖ ପରିଚାଳନା ସଂପତି ଆଂଶିକ ବନ୍ଦ ହୋଇଯାଇଥିଲା ।
ଏସାର ଜଣାଇଛି ଯେ ଏହି ଆହ୍ୱାନଗୁଡ଼ିକ ଏହାକୁ ବିଶ୍ୱ ସ୍ତରୀୟ ସଂପତି ସୃଷ୍ଟି କରିବାରୁ ଅଟକାଇ ପାରିନାହିଁ । ଏସାର ସୃଷ୍ଟି କରିଥିବା ଗ୍ରିନଫିଲ୍ଡ ସଂପତିଗୁଡ଼ିକ ୪୦ ବିଲିଅନ ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଂଜିନିବେଶ (ଏଫଡିଆଇ) ହାସଲ କରିଛି ଯାହା ହେଉଛି ଆମ ସଂପତିର ବିଶ୍ୱ ସ୍ତରୀୟ ମାନର ପ୍ରତିଫଳନ । ଏସାର ଅଏଲ-ରୋଜନେଫ୍ଟ ବୁଝାମଣା ଥିଲା ୮୬ ହଜାର କୋଟି ଟଙ୍କା (୧୩ ବିଲିଅନ ଡଲାର)ର ଏଫଡିଆଇ, ଯାହା ଆଜି ପର୍ଯ୍ୟନ୍ତ ଦେଶର ସର୍ବବୃହତ ବୋଲି ଏହା ଦାବି କରିଛି ।