-
ଅଫିସର ରାଜ ଚଳାଇବା ପାଇଁ ପଂଚାୟତ ରାଜ ପ୍ରତିନିଧୀଙ୍କୁ ଅଣଦେଖା କରାଯାଉଛି
-
ପଂଚାୟତ ମାନଙ୍କୁ ମୋଦି ସରକାର ସିଧାସଳଖ ଭାବେ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି
-
ପଂଚାୟତକୁ ମିଳୁଥିବା ସିଧାସଳଖ ଅନୁଦାନରେ ପଂଚାୟତ ନିଜେ ପିଇବା ପାଣି ପ୍ରକଳ୍ପ ନିର୍ମାଣ କରିଲେ ଅସୁବିଧା କେଉଁଠି ଅଛି ?
-
ସରକାର ପଲ୍ଲିସଭାକୁ ସମ୍ପୃର୍ଣ୍ଣ ଭାବେ ଅକାମି କରିଦେଇଛନ୍ତି
-
ରାଜ୍ୟ ସରକାର ପ୍ରତି ପଂଚାୟତରୁ ୧୦ ଲକ୍ଷ ଟଙ୍କା ଲେଖାଏ ହିସାବରେ ୬୮୦ କୋଟି ନେବାର ଯୋଜନା କରିଛନ୍ତି
-
ପଂଚାୟତକୁ ସିଧାସଳଖ ଭାବେ ମିଳୁଥିବା ଅନୁଦାନରୁ ୯୪ ଭାଗ ଅର୍ଥ କେନ୍ଦ୍ରସରକାର ଦେଉଥିବାବେଳେ ମାତ୍ର ୬ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେଉଛନ୍ତି
ଭୁବନେଶ୍ୱର : ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ । ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ । କିନ୍ତୁ ଓଡିଶାରେ ଦିନକୁ ଦିନ ପଂଚାୟତର କ୍ଷମତାକୁ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି । ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ କରିବା ବଦଳରେ ରାଜ୍ୟ ସରକାର ସଚିବାଳୟରେ କେନ୍ଦ୍ରୀକରଣ କରିବାରେ ଲାଗିଛନ୍ତି । ଗାଁର କଥା ଗାଁ ରୁ ନୁହେଁ ସଚିବାଳୟରୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ରାଜ୍ୟସରକାର ପଂଚାୟତକୁ ପଙ୍ଗୁ କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତୀବ୍ର ସମାଲୋଚନା କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜୁ ଜନତା ଦଳ ପଂଚାୟତ ରାଜ ବ୍ୟବସ୍ଥାକୁ ଦଳର ସ୍ୱାର୍ଥ ରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରି ପଂଚାୟତର କ୍ଷମତାକୁ ବିକେନ୍ଦ୍ରୀକରଣ ପରିବର୍ତେ କେନ୍ଦ୍ରୀଭୂତ କରିଛି ରାଜ୍ୟ ସଚିବାଳୟ ।ଅଫିସର ରାଜ ଚଳାଇବା ପାଇଁ ପଂଚାୟତ ରାଜ ପ୍ରତିନିଧୀଙ୍କୁ ଅଣଦେଖା କରାଯାଉଛି । ବିଜୁ ଜନତା ଦଳର ସ୍ୱାର୍ଥ ରକ୍ଷା ପାଇଁ ଗ୍ରାମର ବିକାଶ ଓ ଗ୍ରାମ ପଂଚାୟତ ଜନପ୍ରତିନିଧୀ ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ସଂପୂର୍ଣ୍ଣ ରୂପେ ଅଣଦେଖା ,ଅବହେଳିତଓ ଅପମାନିତ କରିବା ଏ ସରକାରର ପ୍ରାଥମିକତା ।
ମାର୍ଚ୍ଚ ୫, ବିଜୁ ବାବଙ୍କୁ ଜୟନ୍ତୀକୁ ରାଜ୍ୟ ସରକାର ପଂଚାୟତ ରାଜ ଦିବସ ଭାବେ ପାଳନ କରୁଛନ୍ତି । ହେଲେ ବାସ୍ତବରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ପଂଚାୟତକୁ ପଙ୍ଗୁ କରିବାରେ ଲାଗିଛନ୍ତି । ବାସ୍ତବରେ ପଂଚାୟତ ବ୍ୟବସ୍ଥାର ଯେଉଁ ମହତ ଉଦ୍ଦେଶ୍ୟ ଥିଲା, ସାଧାରଣ ଲୋକ ମାନଙ୍କୁ ସେମାନଙ୍କର ବିକାଶ କଥା ଚିନ୍ତା କରିବା ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାକୁ ରାଜ୍ୟ ସରକାର ଛଡାଇ ନେଉଛନ୍ତି । ପଂଚାୟତ ମାନଙ୍କୁ ମୋଦି ସରକାର ସିଧାସଳଖ ଭାବେ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ଏହାକୁ ଖର୍ଚ୍ଚ କରିବାର କ୍ଷମତା ପଂଚାୟତକୁ ଦିଆଯାଇଛି । ହେଲେ ରାଜ୍ୟ ସରକାର ପର୍ଯାୟ କ୍ରମେ ପଂଚାୟତକୁ ତାର ଅଧିକାରରୁ ବଂଚିତ କରି ସେହି ଅର୍ଥକୁ ରାଜ୍ୟ ସରକାର ପଂଚାୟତ ମାଧ୍ୟମରେ ଖର୍ଚ୍ଚ ନକରି ଅନ୍ୟବାଟରେ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
(ପୃଷ୍ଠା-୧/୨)
ଫେବୃୟାରୀ ୧୯, ୨୦୨୦ରେ ରାଜ୍ୟ ସରକାରଙ୍କର ପଂଚାୟତରାଜ ବିଭାଗ, ବିଡିଓମାନଙ୍କୁ ଲେଖିଥିବା ଏକ ନିର୍ଦ୍ଦେଶନାମା ଅନୁସାରେ ପ୍ରତି ପଂଚାୟତ ସେମାନଙ୍କୁ ଅର୍ଥ କମିଶନ ସୁପାରିଶ ଆଧାରରେ ମିଳୁଥିବା ଅର୍ଥରୁ ୧୦ ଲକ୍ଷ ଟଙ୍କା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଦେବା ପାଇଁ ବାଧ୍ୟ । ଏପରି କାହିଁକି ? ପଂଚାୟତକୁ ମିଳୁଥିବା ସିଧାସଳଖ ଅନୁଦାନରେ ପଂଚାୟତ ନିଜେ ପିଇବା ପାଣି ପ୍ରକଳ୍ପ ନିର୍ମାଣ କରିଲେ ଅସୁବିଧା କେଉଁଠି ଅଛି ? ରାଜ୍ୟ ସରକାର ପ୍ରତି ପଂଚାୟତରୁ ୧୦ ଲକ୍ଷ ଟଙ୍କା ଲେଖାଏ ହିସାବରେ ୬୮୦ କୋଟି ନେବାର ଯୋଜନା କରିଛନ୍ତି । ପଂଚାୟତକୁ ସିଧାସଳଖ ଭାବେ ମିଳୁଥିବା ଅନୁଦାନରୁ ୯୪ ଭାଗ ଅର୍ଥ କେନ୍ଦ୍ରସରକାର ଦେଉଥିବାବେଳେ ମାତ୍ର ୬ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପଂଚାୟତ ସ୍ତରର ଉନ୍ନୟନ କାର୍ଯ୍ୟସବୁ ପଂଚାୟତ ମାଧ୍ୟମରେ ଗ୍ରାମସଭା ଡକାଯାଇ କାମ କେମିତି କରାଯିବ ସ୍ଥିରିକୃତ କରାଯାଉଥିଲା । ଭିଏଲଏଲ (ଗ୍ରାମ୍ୟ ଶ୍ରମିକ ନେତା) ମାଧ୍ୟମରେ କାର୍ଯ୍ୟାଦେଶ ଓ ବିଲ ପେମେଂଟ ଦିଆଯାଉଥିଲା । ଗାଁ ଲୋକେ ଯାହାକୁ ସ୍ଥିର କରୁଥିଲେ, ସେହି ବ୍ୟକ୍ତି କାର୍ଯ୍ୟ କରୁଥିଲେ ଓ ଗାଁ ଲୋକଙ୍କର ସହଭାଗିତାରେ କାମ ହେଉଥିଲା । ହେଲେ ୧୩ ଜୁଲାଇ ୨୦୧୮ ଠାରୁ ରାଜ୍ୟ ସରକାର ପଲ୍ଲିସଭାକୁ ସମ୍ପୃର୍ଣ୍ଣ ଭାବେ ଅକାମି କରିଦେଇଛନ୍ତି । ୫ ଲକ୍ଷ ଟଙ୍କାରୁ ଅଧିକ କାମକୁ ରାଜ୍ୟ ସରକାର ଏବେ ବିଭାଗ ଦ୍ୱାରା କରାଉଛନ୍ତି । ଏପରିକି ୫ ଲକ୍ଷ ଟଙ୍କାରୁ କାମ ପାଇଁ ବି ପଲ୍ଲିସଭା ଡକାଯାଉନାହିଁ । ରାଜ୍ୟରେ କୌଣସି ପଂଚାୟତରେ ପଲ୍ଲିସଭା ବସୁନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନିକଟରେ ୧୭ ଫେବୃୟାରୀ ୨୦୨୦ରେ ପ୍ରିନ୍ସିପାଲ ସେକେରଟାରି ସମସ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ଅଧିକାରିଙ୍କୁ ଚିଠି ଲେଖିଛନ୍ତି ଯେ ବିଡିଓ ମାନେ ପଂଚାୟତରେ ଅର୍ଥ କମିଶନ ସୁପାରିଶ ଆଧାରରେ ମିଳୁଥିବା ଅର୍ଥକୁ କେମିତି ଖର୍ଚ୍ଚ କରାଯିବ ତାହାର ଦାୟୀତ୍ୱ ନିଅନ୍ତୁ । ଚିଠିରେ ଲେଖାଯାଇଛି ପଂଚାୟତ ମାନେ ଉନ୍ନୟନ ମୂଳକ କାମ କରିବାର ଯୋଜନା କରିବା, ଯୋଜନାର ରୁପାୟଣ କରିବା, ଅର୍ଥକୁ ସଠିକ ଭାବରେ ଖର୍ଚ୍ଚ କରିବା ପାଇଁ ସକ୍ଷମ ନୁହନ୍ତି କାରଣ ପଂଚାୟତମାନଙ୍କରେ ଯଥେଷ୍ଟ ମାନବ ସମ୍ବଳ ନାହାଁନ୍ତି । ଏଠି ପ୍ରଶ୍ନ ଉଠୁଛି ୨୦ ବର୍ଷ ହେଲାଣି ବିଜୁ ଜନତା ଦଳର ସରକାର ଥିବା ସତ୍ୱେ କାହିଁକି ପଂଚାୟତକୁ ସକ୍ଷମ କରାଗଲା ନାହିଁ ଏବଂ ପଂଚାୟତରେ ମାନବ ସମ୍ବଳ ବୃଦ୍ଧି କରିବାରେ କିଏ ବାଧକ ସାଜିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ ।