-
ଭାଷା ପରୀକ୍ଷାରେ ୬ ଏମ.ପି.
ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ରାଜ୍ୟର ଦ୍ଵିତୀୟ ବୃହତ୍ତମ +୨ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି l ଆଜି ଥିଲା ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ (ଏମ.ଆଇ.ଏଲ.-ଓଡ଼ିଆ) ପରୀକ୍ଷା l ଆସନ୍ତାକାଲି କଳା ଓ ବାଣିଜ୍ୟ ସ୍ରୋତ ଛାତ୍ରଛାତ୍ରୀଙ୍କ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ଅନୁଷ୍ଠିତ ହେବ l ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ଥାପିତ ପଇଁଚାଳିଶଟି ‘ପରୀକ୍ଷା ପରିଚାଳନା ହବ’ ଅନ୍ତର୍ଗତ ୧୯୮ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ସର୍ଭିଲେନ୍ସ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜିର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ଆଜି ଅନୁଷ୍ଠିତ +୨ ବିଜ୍ଞାନ ସ୍ରୋତର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷାରେ କପି ଅଭିଯୋଗରେ ଦକ୍ଷିଣାଞ୍ଚଳର ବିଭିନ୍ନ କେନ୍ଦ୍ରର ୬ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କପି କରୁଥିବା ବେଳେ ଜୋନାଲ ସ୍କ୍ୱାଡ଼ ହାତରେ ଧରା ପଡ଼ିଥିବା ବେଳେ ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ସ୍କ୍ୱାଡ଼ ସଦସ୍ୟଙ୍କ ଦ୍ୱାରା କପି ଅଭିଯୁକ୍ତ ହୋଇଛନ୍ତି l ସେହିପରି ଗଜପତି ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନି ଜଣ ପରୀକ୍ଷାର୍ଥୀ ଜୋନାଲ ସ୍କ୍ୱାଡ଼ ହାତରେ ଧରାପଡ଼ି କପି ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝା ଜଣାଇଛନ୍ତି l
Related Stories
November 23, 2024