ମୁମ୍ବାଇ– ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ମାର୍ଚ୍ଚ ୭ ତାରିଖରେ ସେ ଅଯୋଧ୍ୟା ଗସ୍ତରେ ଯିବେ । ତାଙ୍କର ଏହି ଗସ୍ତକୁ ରାଜନୀତି ସହିତ ଯୋଡ଼ା ନଯାଉ । ଭଗବାନଙ୍କ ଦର୍ଶନ କରିବାରେ ରାଜନୀତି କ’ଣ ।
ଉଦ୍ଧବ କହିଥିଲେ ଯେ, ମୁସଲିମ୍ ଆରକ୍ଷଣକୁ ନେଇ ବିରୋଧୀ ଅଯଥା ହୋ -ହାଲ୍ଲା କରୁଛନ୍ତି । ରାଜ୍ୟରେ ମୁସଲିମ୍ ଆରକ୍ଷଣ ପ୍ରସଙ୍ଗ ବର୍ତମାନ ସୁଦ୍ଧା ତାଙ୍କ ସାମ୍ନାକୁ ଆସିନାହିଁ । ଯେତେବେଳେ ତାଙ୍କ ସମ୍ମୁଖକୁ ଏହି ପ୍ରସଙ୍ଗ ଆସିବ ସେ ଆଇନର ପରାମର୍ଶ ନେଇ ସେ ଦିଗରେ ଉଚିତ୍ ନିଷ୍ପତି ନେବେ । ଏଥିସହିତ ରାଜ୍ୟର କୌଣସି ନାଗରିକର ନାଗରିକତା ଯିବାକୁ ଦେବେନାହିଁ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ଏହି ପ୍ରସଙ୍ଗରେ ଶାନ୍ତି ବ୍ୟବସ୍ଥା ବଜାୟ ରଖିବାକୁ ଏବଂ ତାଙ୍କ ଉପରେ ରାଜ୍ୟବାସୀ ଭରସା ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।
ମଙ୍ଗଳବାର ଦିନ ଉଦ୍ଧବ ଠାକରେ ବିଧାନଭବନରେ ସାମ୍ବାଦିକ ମାନଙ୍କୁ ଏନେଇ ସୂଚନା ଦେଇ କହିଥିଲେ ଯେ, ଭଗବାନଙ୍କ ଦର୍ଶନ ସହିତ ରାଜନୀତିକୁ ଯୋଡ଼ାଯିବା ଅନୁଚିତ୍ । ତାଙ୍କର ଇଚ୍ଛା କେବଳ ରାମଲାଲାଙ୍କୁ ଦର୍ଶନ କରିବା । ଯେଉଁଥିପାଇଁ ସେ ଅଯୋଧ୍ୟା ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଯିଏ ବି ତାଙ୍କ ସହିତ ଏହି ଯାତ୍ରାରେ ସାମିଲ୍ ହେବାକୁ ଚାହିଁବେ, ଯାଇପାରିବେ ।
ଉଦ୍ଧବ କହିଥିଲେ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ), ନାଗରିକ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ତଥା ଜାତୀୟ ନାଗରିକତା ପଞ୍ଜିକରଣ (ଏନସିଆର) ରେ ରାଜ୍ୟର ନାଗରିକ ମାନଙ୍କ କୌଣସି ଡ଼ରିବାର ନାହିଁ । ରାଜ୍ୟର କୌଣସି ନାଗରିକର ନାଗରିକତା ହନନ ହେବାକୁ ସେ ଦେବେନାହିଁ । ଏହି ମାମଲାରେ ସହଯୋଗୀ ଦଳର ନେତାମାନଙ୍କ ସହିତ ସମନ୍ୱୟ ସମିତିରେ ନିଷ୍ପତି ନିଆଯିବ ବୋଲି ସେ କହିଥିଲେ ।