ନୂଆଦିଲ୍ଲୀ– ଦିଲ୍ଲୀ ଦଙ୍ଗାକୁ ନେଇ ବିରୋଧୀ ଦଳଗୁଡିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ କିଛି ଦଳ ନିଜର ରାଜନୀତିକୁ ଚମକାଇବା ପାଇଁ ଜାତୀୟ ସ୍ୱାର୍ଥ ସହ ଖେଳ ଖେଳୁଛନ୍ତି। ବିକାଶ ପାଇଁ ଶାନ୍ତି, ଏକତା ଏବଂ ସମନ୍ୱୟ ରହିବା ଉଚିତ ବୋଲି ସେ କହିବା ସହ କହିଛନ୍ତି ଯେ ତଥାପି, କିଛି ଦଳ ଏପରି ଅଛନ୍ତି ଯେଉଁମାନେ ଦଳର ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥଠାରୁ ଆଗରେ ରଖନ୍ତି । ମଙ୍ଗଳବାର ଦିନ ସଂସଦ ଭବନ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳର ଏକ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତୀ ମୋଦୀ ଏହା କହିଛନ୍ତି ।
ଯେ କହିଛନ୍ତି ଯେ କିଛି ଦଳ ନିଜର ରାଜନୀତିକୁ ଚମକାଇବା ପାଇଁ ଜାତୀୟ ସ୍ୱାର୍ଥ ସହ ଖେଳୁଛନ୍ତି। କିନ୍ତୁ, ବିଜେପି ପାଇଁ ଦଳୀୟ ସ୍ୱାର୍ଥ ନୁହେଁ ବରଂ ଜାତୀୟ ସ୍ୱାର୍ଥ ସବୁଠୁ ବଡ ଏବଂ ବିକାଶ ହେଉଛି ଆମର ମନ୍ତ୍ର।
ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି ଯେ ବିକାଶ ପାଇଁ ଶାନ୍ତି, ଏକତା ଏବଂ ସମନ୍ୱୟ ରହିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ମଧ୍ୟ କିଛି ଦଳ ଅଛନ୍ତି ଯେଉଁମାନେ ଦଳର ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥଠାରୁ ଅଧିକ ରଖନ୍ତି।
ବୈଠକରେ ଭାଷଣ ଦେବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି ସେମାନେ ଦେଶ ପାଇଁ ସମାନ ଭାବିଛନ୍ତି କି, ଆଜି ଆମେ କେଉଁଠାରେ ପହଞ୍ଚିଛୁ, ଦେଶପ୍ରେମ ଅପେକ୍ଷା ଦଳକୁ କାହିଁକି ଗୁରୁତ୍ୱ ଦେଉଛୁ? ସେ କହିଥିଲେ ଯେ ‘ ବନ୍ଦେ ମାତରମ’ ପୂର୍ବରୁ ଏକ ଜାତୀୟ ସ୍ଲୋଗାନ ଥିଲା, ବର୍ତ୍ତମାନ ଏହାକୁ ସାମ୍ପ୍ରଦାୟିକ କରାଯାଇଛି। ‘ଭରତ ମାତା କି ଜୟ’ କୁ ମଧ୍ୟ ସାମ୍ପ୍ରଦାୟିକ ସ୍ଲୋଗାନ ବୋଲି କୁହା ଯାଉଛି ।
ଏହି ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ସୋମବାର ଠାରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।