
ରାଉରକେଲା- ପୁଅ ଓ ତା’ର କେତେକ ସାଙ୍ଗଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ସୋମବାର ବିଳମ୍ବିତ ରାତିରୁ ରଘୁନାଥପାଲି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଆଜି ସକାଳେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ମିଳିବା ପରେ ସେ ଧାରଣା ପ୍ରତ୍ୟାହାର କରିଥିଲେ ।
ସୂଚନା ଅନୁସାରେ, ଗତକାଲି ରାତିରେ ବିଧାୟକଙ୍କ ପୁଅ ଓ ତାଙ୍କର କିଛି ସାଙ୍ଗ ରାଉରକେଲା ଜେଲ୍ ରୋଡ଼ରେ ଥିବା ଏକ ବିବାହ ମଣ୍ଡପ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ ପୋଲିସ ଆସି ସେମାନଙ୍କୁ ଘରକୁ ଯିବାକୁ କହିଥିଲା । ଏହି କଥାକୁ ନେଇ ପୋଲିସ ଓ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ପୋଲିସ ଯୁବକ ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସେମାନେ ବିଧାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ବିଧାୟକ ଘଟଣାସ୍ଥଳରେ ପହଂଚିବା ସହ ମାଡ଼ ମାରିଥିବା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଆଜି ସକାଳେ ଡ଼ିଏସପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଉଠିଥିଲେ ବିଧାୟକ ଶ୍ରୀ ଓରାମ ।