ଭୁବନେଶ୍ୱର – ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ । ଓଡ଼ିଶାରେ ଏଯାବତ୍ କେହି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।
ରାଜ୍ୟର ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ଗତକାଲି ଭାରତରେ ୩ ଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ଜଣେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ହୋଇଥିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନରେ ରହିଛନ୍ତି । ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍ ଶେଷ ହୋଇସାରିଛି । ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଂଟିଆ କେଂଟ୍ରାଲ ରୁମ୍ ଖୋଲାଯାଇଛି ।