ଗଞ୍ଜାମ– ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ବିସ୍ଫୋରଣ ହେବାରୁ ୩ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଯାଇଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମପୁର ଗ୍ରାମରେ । ଗୁରୁତର ତିନି ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ ।
ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗ୍ରାମର କିଛି ପିଲା ନିକଟସ୍ଥ ପଡ଼ିଆରେ ଖେଳୁଥିବା ବେଳେ ସେଠାରେ ଥିବା କୌଣସି ପରିତ୍ୟକ୍ତ ସ୍ଥାନରୁ ଏକ ବ୍ୟାଟେରୀ ପାଇଥିଲେ । ପରେ ପିଲାମାନେ ଏହି ବ୍ୟାଟେରୀରେ ଖେଳୁଥିବା ସମୟରେ ତାହା ହଠାତ୍ ବିସ୍ଫୋରଣ ହୋଇଥିଲା । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମୁହଁ, ହାତ ଓ ଆଖିରେ ଆଘାତ ଲାଗିଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବା ମେଡ଼ିକାଲ ସୂତ୍ରରୁ ପ୍ରକାଶ ।
ତେବେ ଏହି ବ୍ୟାଟେରୀ ଏଠାକୁ କିପରି ଆସିଲା ତାହା ତଦନ୍ତ ସାପେକ୍ଷ । ନିକଟରେ ପାହାଡ଼ ରହିଥିବାରୁ କେହି ପଥର ମାଫିଆ ବିସ୍ଫୋରଣ କରି ପଥର ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହାକୁ ଏଠାରେ ରଖିଥିବା ଅନୁମାନ କରାଯାଉଛି ।