ଭୁବନେଶ୍ୱର – ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ସତ୍ୱେ ଏହାକୁ ପାଳନ କରୁ ନାହାନ୍ତି । ଏହାର ପ୍ରତିବାଦରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଆସନ୍ତା ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରାଯିବ । ଯଦି ଆସନ୍ତା ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ମାର୍ଚ୍ଚ ୧୪ ତାରିଖରୁ ସଂଘର କର୍ମକର୍ତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଜଣାଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଲିମପ୍ରାପ୍ତ ଏ.ଏନ୍.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସଂଘର୍ଷ ଜାରୀ ରହିଛି । ଜୁଲାଇ ୫ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ୧୫ ହଜାର ପାରା ମେଡ଼ିକାଲ କର୍ମୀଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଗତ ୨୩.୨.୨୦୨୦ରିଖରେ ଘୋଷଣା କରିଥିବା ମହିଳାମାନଙ୍କ ସଶକ୍ତିକରଣ କରିବାରେ ବିଜେଡ଼ିର ଲକ୍ଷ୍ୟ ବା ଆଭିମୁଖ୍ୟ । ମାତ୍ର କୌଣସି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ । ଚଳିତ ବିଧାନସଭା ବଜେଟ ଅଧିବେଶନରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି । ଆସନ୍ତା ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତି ହୋଇଛି ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରିଣୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡେଇ, କୋଷାଧ୍ୟକ୍ଷ ମମତା ସାହୁ, ଜଗତସିଂହପୁର ଜିଲ୍ଲା ସଭାପତି ସୋନାଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।