ନୂଆଦିଲ୍ଲୀ– ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଥିବା ବେଳେ ଦେଶରେ ପାଖାପାଖି ୫ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ଭାଇରସ୍ କୁ ନେଇ କୌଣସି ଭାରତୀୟ ଆତଙ୍କିତ ହୁଅନ୍ତୁ ନାହିଁ । କରୋନା ଭାଇରସ୍ ର ମୁକାବିଲା ପାଇଁ ପ୍ରସ୍ତୁତିକୁ ନେଇ ସମସ୍ତ କ୍ୟାବିନେଟ ସହଯୋଗୀ ଓ ସମସ୍ତ ରାଜ୍ୟ ସରକାରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଳୋଚନା କରି ସବୁ ସ୍ତରରୁ ସ୍ଥିତିର ସମୀକ୍ଷା ସେ କରି ସାରିଛନ୍ତି । ତେଣୁ ଏଥିପାଇଁ କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମୋଦୀ ଟ୍ୱିଟ୍ କରି ଜଣାଇଛନ୍ତି ।
ତେବେ, ପ୍ରତ୍ୟେକ ଦେଶବାସୀ ସେମାନଙ୍କ ବ୍ୟକ୍ତିଗତ ସ୍ତରରେ ନିଜ ନିଜର ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କରୋନା ଭାଇରସ୍ ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୪ଘଂଟିଆ ହେଲପ୍ ଲାଇନ୍ ନମ୍ବର ଜାରି କରାଯିବା ସହ ଦେଶର ସମସ୍ତ ଡାକ୍ତରଖାନାମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ଏହି ଭାଇରସ୍ ଏବେ ବିଶ୍ୱର ୬୦ଟି ରାଷ୍ଟ୍ରକୁ ବ୍ୟାପିଛି । ଏବେ ସୁଦ୍ଧା ୯୦,୦୦୦ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି । ଦେଶରେ ଗତକାଲି ୩ ଜଣ କରୋନା ଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଚିହ୍ନଟ କରାଯାଇଛି ।