ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନପୁର ବେଳାଭୂମିରୁ ଏକ ବିରାଟକାୟ ସାର୍କ ମାଛର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ବନ ବିଭାଗ ପକ୍ଷରୁ ମାଛଟିକୁ ଜବତ କରାଯିବା ସହ ଆଜି ସକାଳେ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଛି । ମାଛଟିର ଲମ୍ବ ପ୍ରାୟ ୧୫ ଫୁଟ୍ ଏବଂ ଓଜନ ୨ କ୍ୱିଂଟାଲ ହେବ ।
ଗତକାଲି ସଂନ୍ଧ୍ୟାରେ ମତ୍ସ୍ୟଜିବୀଙ୍କ ଜାଲରେ ପଡି ମାଛଟି କୂଳକୁ ଆସିଥିବା ଅନୁମାନ କରାଯାଉଛି । ମାଛଟିକୁ ସମୁଦ୍ର ଭିତରକୁ ଛାଡିବାକୁ ଧିବର ମାନେ ଚେଷ୍ଟା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା । ଶେଷରେ ମାଛଟିର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଏତେ ବଡ଼ ମାଛକୁ ନିକଟରୁ ଦେଖିବା ପାଇଁ ଆଜି ସକାଳେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଆଖ ପାଖ ଅଂଚଳର ଲୋକଙ୍କ ମଧ୍ୟରେ ମାଛଟିକୁ ଦେଖିବା ନେଇ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା ।
ପ୍ରକାଶ ଥାଉ କି, ଏହା ପୂର୍ବରୁ ସପ୍ତାହକ ତଳେ ମଧ୍ୟ ଗୋପାଳପୁର ସମୁଦ୍ରରୁ ଏକ ବିରାଟକାୟ ମାଛ ଜାଲରେ ପଡିଥିଲା । ତେବେ ମତ୍ସ୍ୟଜିବୀ ମାନେ ତାହାକୁ ଜୀବନ୍ତ ଅବସ୍ଥାରେ ପୁଣି ଥରେ ସମୁଦ୍ର ମଧ୍ୟକୁ ଛାଡିବାକୁ ସଫଳ ହୋଇଥିଲେ । ଅନେକ ସମୟରେ ଜାଲରେ ପଡି ଏହି ବିରଳ ପ୍ରଜାତିର ମାଛଙ୍କ ମୃତ୍ୟୁ ଘଟୁଥିବାର ନଜିର ରହିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମତ୍ସ୍ୟ ପ୍ରେମୀ ଓ ପରିବେଶବିତ୍ ।