ଗଞ୍ଜାମ– ସପ୍ତାହକ ପୂର୍ବେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ପଂଚାୟତର ସରପଂଚ ପ୍ରଦୀପ କୁମାର ମଲାଣଙ୍କ ବାଲାଜୀପଲ୍ଲୀ ସ୍ଥିତ ଘର ଉପରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ ଗଙ୍ଗାଧର ଦାସ (୫୦)କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।
ଗତ ସୋମବାର ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ଗଙ୍ଗାଧର ସରପଂଚଙ୍କ ଘର ଉପରକୁ ୩ଟି ବୋମା ଫିଙ୍ଗିବା ସହ ଏକ ଖଣ୍ଡା ଧରି ପ୍ରଦୀପଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ । ସରପଂଚ ପ୍ରଦୀପ ଏନେଇ ନିମଖଣ୍ଡି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଏତଲାରେ ଦର୍ଶାଇ ଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଗଙ୍ଗାଧରକୁ ଗତକାଲି ପୋଲିସ ଧରି ଥାନାକୁ ଆଣିଥିଲା । ପଚରା ଉଚୁରା ପରେ ମାମଲାରେ ତା’ର ସମ୍ପୃକ୍ତି ଥିବା ଜାଣିପାରି ପୋଲିସ ତାକୁ ଗିରଫ କରିଥିଲା । ଆଜି ତାକୁ କୋର୍ଟଚାଲାଣ କରାଯିବା ନେଇ ସଦର ଥାନା ଆଇଆଇସି ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହା ଜୁଲାଇ ୧୨ ତାରିଖରେ କୌଣସି କାରଣରୁ ଗଙ୍ଗାଧର ଦାସ ପ୍ରଦୀପଙ୍କ ସମ୍ପର୍କୀୟ ଭାଇ ଅନୁପ ମଲାଣଙ୍କୁ ହାଣି ହତ୍ୟା କରିଥିଲା । ଏହି ହତ୍ୟା ମାମଲାରେ ଗଙ୍ଗାଧରକୁ ଆଜୀବନ କାରାଦଣ୍ଡ ହୋଇଥିଲା । ପରେ ଗଙ୍ଗାଧର ଗତ ୧ ବର୍ଷ ହେଲା ଜେଲ୍ ରୁ ମୁକ୍ତ ହୋଇଥିଲା ।