ଭୁବନେଶ୍ୱର – ପ୍ରକୃତି ଆମ ରାଜ୍ୟକୁ ବିପୁଳ ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ସହ ଜଳ ସମ୍ପଦରେ ମଧ୍ୟ ପରିପୂର୍ଣ୍ଣ କରିଛି । ଏହି ସମ୍ପଦର ସୁବିନିଯୋଗ କରି ଏକ ସମୃଦ୍ଧ ତଥା ସଶକ୍ତ ଓଡ଼ିଶା ଗଠନ ଦିଗରେ ଆମେ ଅଗ୍ରସର ହେଉଛୁ କିନ୍ତୁ ବିକାଶର ପ୍ରକ୍ରିୟାରେ ଅନେକ ସମୟରେ ପରିବେଶ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବାରେ ଆଶଙ୍କା ଉପୁଜିଛି । ବିକାଶର ପ୍ରକ୍ରିୟାରେ ଯେପରି ଆମର ପରିବେଶ ପ୍ରଦୂଷିତ ନହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଆରୁଖ ରାଜ୍ୟ ଜୟଦେବ ଭବନ ଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୩୬ତମ ସ୍ଥାପନା ଦିବସକୁ ଉଦଘାଟନ କରି କହିଲେ ନାଗରିକମାନଙ୍କୁ ଗୁଣାତ୍ମକ ଜୀବନଶୈଳୀ ନିମନ୍ତେ ଆବଶ୍ୟକୀୟ ଏକ ସୁସ୍ଥ ଏବଂ ଉତମ ପରିବେଶ ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ବୋର୍ଡ଼ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଜ୍ୟରେ ବାୟୁ ଓ ଜଳ ପ୍ରଦୂଷଣ ମାତ୍ରାକୁ ଅନୁମୋଦିତ ମାତ୍ରା ମଧ୍ୟରେ ସୀମିତ ରଖିବାକୁ ଯଥାସମ୍ଭବ ପ୍ରୟାସ କରାଯାଉଛି । ଶିଳ୍ପ ଓ ଖଣିରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ସଫଳତା ମିଳିଛି । ସହରାଂଚଳରୁ ନିର୍ଗତ ବର୍ଜ୍ୟଜଳ ଦ୍ୱାରା ନଦୀଜଳ ପ୍ରଦୂଷିତ ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସହରରେ ସିୱେଜ ଟ୍ରିଟ୍ମେଂଟ ପ୍ଲାଂଟ ସ୍ଥାପନ କରାଯାଉଛି । ଏଥିସହିତ ପ୍ଲାଷ୍ଟିକ ଦ୍ୱାରା ପରିବେଶ ପ୍ରଦୂଷିତ ଆଶଙ୍କା ଅଧିକା ଥିବାରୁ ଆସନ୍ତା ଗାନ୍ଧୀଜୟନ୍ତୀରୁ ରାଜ୍ୟର ସମସ୍ତ ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦଗୁଡ଼ିକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ଦିଗରେ ମନ୍ତ୍ରୀ ଶ୍ରୀ ଆରୁଖ ଜନସାଧାରଣଙ୍କ ସମ୍ପୃକ୍ତି ଓ ସହଯୋଗ କାମନା କରିଥିଲେ ।
ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ମୋନା ଶର୍ମା ରାଜ୍ୟର ୬ଟି ସହରାଂଚଳର ପାରିପାଶ୍ୱିର୍କ ବାୟୁରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ଦିଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟ ଜଳବାୟୁ ପରିବର୍ତନ କାର୍ଯ୍ୟାନୁଷ୍ଠାନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପରିବେଶ ନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଡ. କେ. ମୁରୁଗେସାନ ତାଙ୍କ ବକ୍ତବ୍ୟରେ ଶିଳ୍ପାୟନ ଦ୍ୱାରା ସୃଷ୍ଟି ହୋଇଥିବା ରାଜ୍ୟର ପ୍ରମୁଖ ପ୍ରଦୂଷିତ ଅଂଚଳର ସମସ୍ୟା ଓ ଏହାର ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ, ନଦୀଜଳ ପୁନର୍ଜିବୀକରଣ ଓ ସହରାଂଚଳ ବର୍ଜ୍ୟବସ୍ତୁର ସମସ୍ୟା ଓ ଏହାର ସମାଧାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ବୋର୍ଡ଼ର ସଦସ୍ୟ ସଚିବ ଶ୍ରୀ ଦେବୀଦତ ବିଶ୍ୱାଳ ୨୦୧୮-୧୯ର ବାର୍ଷିକ ବିବରଣୀ ପାଠ କରିଥିଲେ । \nଡଃ ମହେନ୍ଦ୍ର କୁମାର ରାଉତ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ପ୍ରାକ୍ତନ ପ୍ରଫେସର ବିନୟ କୁମାର ଦତ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ବୋର୍ଡ଼ ଦ୍ୱାରା ପ୍ରକାଶିତ ପରିବେଶ ସମାଚାର, ଡିଷ୍ଟ୍ରିକ୍ଟ ୱାଇଜ ଆକ୍ସନ ପ୍ଲାନ ଅଫ ଓଡ଼ିଶା ଓ ଷ୍ଟାଟସ୍ ଆଣ୍ଡ ଟ୍ରେଣ୍ଡ କୋଷ୍ଟାଲ ପାରାମିଟରସ, ୨୦୧୩-୧୮ ଉନ୍ମୋଚିତ ହୋଇଥିଲା । ଶିଳ୍ପ ଶ୍ରେଣୀରେ ମେସର୍ସ ଜେ.କେ. ପେପର ମିଲ୍, ରାୟଗଡ଼ାକୁ ପଲ୍ୟୁସନ କଂଟ୍ରୋଲ ଏକ୍ସଲେନ୍ସ ଆୱାର୍ଡ, ଢେଙ୍କାନାଳ ଜିଲ୍ଲାର ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡକୁ ପଲ୍ୟୁସନ କଂଟ୍ରୋଲ ଆପ୍ରିସିଏସନ ଆୱାର୍ଡ, ଖଣି ଶ୍ରେଣୀରେ ଇମ୍ଫାଗ୍ରୁପର ସୁକିନ୍ଦା କ୍ରୋମାଇଟ୍ ମାଇନ୍ସକୁ ପଲ୍ୟୁସନ କଂଟ୍ରୋଲ ଆପ୍ରିସିଏସନ ଆୱାର୍ଡ଼ ପ୍ରଦାନ କରାଯାଇଥିବାବେଳେ କଟକର ଶିଶୁଭବନକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଲ୍ୟୁସନ କଂଟ୍ରୋଲ ଆପ୍ରିସିଏସନ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।\nପ୍ରାରମ୍ଭରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱର୍ଗତ ମହେନ୍ଦ୍ର କୁମାର ରାଉତଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୋର୍ଡ଼ର ମୁଖ୍ୟ ପରିବେଶ ବୈଜ୍ଞାନିକ ଡାଃ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମାରୋହରେ ଜଙ୍ଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, ପରିବେଶବିତ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।