ନୂଆଦିଲ୍ଲୀ– ଏଣିକି ବିମାନ ଯାତ୍ରା କରୁଥିବା ଯାତ୍ରୀ ନିଜର ମୋବାଇଲ୍, ଲାପଟପ୍ ଓ ଅନ୍ୟ ଉପକରଣ ମାଧ୍ୟମରେ ୱାଇ-ଫାଇ ସୁବିଧା ଉପଲବ୍ଧ କରିପାରିବେ । ସୋମବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ସମ୍ବନ୍ଧରେ ଏକ ଅଫିସିଆଲ ସୂଚନା ଜାରୀ କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଏୟାର ଲାଇନ କମ୍ପାନୀ ଏହି ନିଶୁଳ୍କ ସୁବିଧା ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ହୋଲି ପୂର୍ବରୁ ବିମାନ ଯାତ୍ରୀଙ୍କ ପାଇଁ ଏକ ଉପାହାର କହିଲେ ଅତୁ୍ୟକ୍ତି ହେବନାହିଁ ।
ସରକାରଙ୍କ ଜାରୀ କରାଯାଇଥିବା ଏହି ଅଧିସୂଚନାରେ କୁହାଯାଇଛି ଯେ, ଏଣିକି ଭାରତର ବିମାନ ସେବା କ୍ଷେତ୍ରରେ ନିୟୋଜିତ କମ୍ପାନୀ ମାନେ ଯାତ୍ରୀଙ୍କୁ ୱାଇ-ଫାଇ ସୁବିଧା ପ୍ରଦାନ କରିବେ । ଉଡ଼ାଣ ସମୟରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସେମାନଙ୍କର ମୋବାଇଲ, ଲାପଟପ୍, ଟ୍ୟାବଲେଟ, ଇ-ରିଡ଼ର ସହିତ ଅନ୍ୟାନ୍ୟ ବୈଦୁ୍ୟତିକ ଉପକରଣ ଫ୍ଲାଇଟ୍ ମୋଡ଼ରେ ରଖିଲେ ବିମାନର ପାଇଲଟ୍ ଯାତ୍ରୀଙ୍କ ମନୋରଞ୍ଜନ ନିମନ୍ତେ ୱାଇ-ଫାଇ ସୁବିଧା ଉପଲବ୍ଧ କରାଇପାରିବେ । ଯାହାଦ୍ୱାରା ବିଶେଷ କରି ବିମାନ ଯାତ୍ରୀ ମାନଙ୍କ ଫାଇଦା ହେବ ।
ପ୍ରକାଶ ଥାଉକି, ଟେଲିକମ୍ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ବିମାନ ଯାତ୍ରା ସମୟରେ ଡ଼ାଟା କନେକ୍ଟିଭିଟିର ସୁବିଧାକୁ ପୂର୍ବରୁ ସବୁଜ ପତକା ଦେଖାଇ ସାରିଛି । ଏହି ଡ଼ାଟା ମିଳିବା ଦ୍ୱାରା ଯାତ୍ରୀ ମାନେ ହ୍ୱାଟସପ୍ ଭଳି ଆପ୍ ର ବ୍ୟବହାର ଫୋନ୍ କଲ୍ ନିମନ୍ତେ କରିପାରିବେ ।