ଜମ୍ମୁ,- ଜମ୍ମୁର ଅଖନୁର ସ୍ଥିତ କେରୀ ବଟ୍ଟଲ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରି ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପକ୍ଷରୁ ଭୀଷଣ ଗୁଳି ବର୍ଷଣ ହୋଇଥିଲା । ଭାରତୀୟ ସେନା ବାହିନୀର ଯବାନ ମାନେ ମଧ୍ୟ ଏହାର କଡ଼ା ଜବାବ ରଖିଥିଲେ । ସୀମା ଅପରପାଶ୍ୱର୍ରେ ଥିବା ପାକ୍ ସେନାର ୫ ପୋଷ୍ଟକୁ ଧ୍ୱଂସ କରିଦେଇଥିଲେ । ସେଠାରେ ୪ରୁ ୫ ଜଣ ପାକ୍ ସେନାର ଯବାନ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ସକାଳ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରୀ ରହିଥିଲା ।
ସେନା ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ପାକ୍ ସେନା ଗତକାଲି ବିଳମ୍ବିତ ରାତିରେ କେରୀ ବଟ୍ଟଲ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ନିମନ୍ତେ ଉଦ୍ୟମ ଚଳାଇବା ସହ ଭୀଷଣ ଗୁଳି ବର୍ଷଣ କରିଥିଲା । ନିୟନ୍ତ୍ରଣ ରେଖା ନିକଟରେ ମୂତୟନ ଥିବା ଯବାନ ମାନେ ଏହାର କଡ଼ା ଜବାବ ରଖିଥିଲେ । ଘଟଣା ପରେ ସେନାର ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଉପରେ ନଜର ରଖିଛନ୍ତି ।