-
– ପରୀକ୍ଷା ଦେବେ ୩.୫ ଲକ୍ଷ ଛାତ୍ରଛାତ୍ରୀ
-
କଳାରେ ସର୍ବାଧିକ ୨ ଲକ୍ଷ ୨୦ ହଜାର ୪୩୭ଛାତ୍ରଛାତ୍ରୀ
-
ସମସ୍ତ ୧୧୪୩ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି
ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମୋଟ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବେ । ଏଥିପାଇଁ ମୋଟ୍ ୧୧୪୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ସିଏଚଏସଇ ଅଧ୍ୟକ୍ଷ ଅମେରେନ୍ଦ୍ର କୁମାର ପଟ୍ଟନାୟକ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାରରେ କଳା ବିଷୟରେ ସର୍ବାଧିକ ୨ ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବିଜ୍ଞାନରେ ୯୭ ହଜାର ୫୪୬ , ବାଣିଜ୍ୟରେ ୨୫ ହଜାର ୭୮୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାଦେବେ । ପରୀକ୍ଷା ପରିଚାଳନା ପାଇଁ ୨୦୨ ଟି ଏକ୍ଜାମ୍ ମ୍ୟାନେଜମେଂଟ ହବ୍ କରାଯାଇଛି । ମୋଟ୍ ୧୧୪୩ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରକୁ ଥିଓରୀ ପ୍ରଶ୍ନପତ୍ର ପହଂଚି ସାରିଛି । ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ମାର୍ଚ୍ଚ ୧୧ରେ ପଠାଯିବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସଂଯୋଗ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପରୀକ୍ଷାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବାରିପଦା , ବ୍ରହ୍ମପୁର ଓ ସମ୍ବଲପୁର ଠାରେ ୩ ଟି ଜୋନାଲ ଅଫିସ୍ କରାଯାଇଛି । ଭୁବନେଶ୍ୱରରେ ସେଂଟ୍ରାଲ ଜୋନ୍ ରହିଛି ।