ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ନେଇଛି । ଗ୍ରାମ ଠାରୁ ଦୂରକୁ ଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ସଂଗ୍ରହ କରିବାକୁ ପଡୁଛି । ବିଶେଷ କରି ମହିଳା ମାନେ ଏହାଦ୍ୱାରା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗ୍ରାମରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଗ୍ରାମକୁ ପାନୀୟ ଜଳ ଯୋଗାଣ ସକାଶେ ପାଇପ୍ ଲାଇନର ବ୍ୟବସ୍ଥା କରାଯାଇଛି । ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଛି । ପୂର୍ବରୁ ଏହା ମାଧ୍ୟମରେ ଜଳ ଯୋଗାଣ ସୂଚାରୂ ରୂପେ ସମ୍ପାଦନ ହେଉଥିବା ବେଳେ ସମ୍ପ୍ରତି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଗ୍ରାମରେ ଥିବା ନଳକୂପର ପାଣି ଦୁର୍ଗନ୍ଧଯୁକ୍ତ ଯୋଗୁଁ ତାହା ବ୍ୟବହାର ଅନୁପଯୋଗୀ ହୋଇଛି । ଏ ବାବଦରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଖରାଦିନ ଆରମ୍ଭରୁ ଯଦି ଏଠାକାର ସ୍ଥିତି ଏମିତି, ତେବେ ଆଗାମି ଦିନରେ ପରିସ୍ଥିତି ଆହୁରି ଜଟିଳ ରୂପ ଧାରଣ କରିବ ବୋଲି ବୁଦ୍ଧିଜିବୀ ମାନେ ଆଶଙ୍କା ବ୍ୟକ୍ତ କଲେଣି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।