
ପୁରୀ- ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିରୋଧ କରିବା ସହ ତାଙ୍କ ଫଟୋଚିତ୍ର କଚେରୀ ଛକରେ ପୋଡିଥିଲେ । ଏହି ପରିପ୍ରେକ୍ଷୀରେ ଟାଉନହଲ୍ ଛକଠାରୁ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ଦେଶରେ ଜାତିଗତ ସାଂପ୍ରଦାୟିକତା ଓ ଧର୍ମଭାବକୁ ନେଇ ବିଜେପି ହିଂସା ସୃଷ୍ଟି କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ନାଗରିକ ସଂଶୋଧନ ଆଇନକୁ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ନୂଆଦିଲ୍ଲୀର ଉତର ଅଂଚଳରେ ପୁଲିସର ନିଷ୍କ୍ରିୟତା ଓ କେନ୍ଦ୍ର ସରକାରଙ୍କ ଅପରିପକ୍ୱତା ଓ ଗୋଇନ୍ଦା ବିଫଳତା ଯୋଗୁଁ ୪୦ ଜଣ ନୀରିହ ଲୋକ ମୃତ୍ୟୁବରଣ କରିଛନ୍ତି । ୨୦୦୨ରେ ଅମିତ ଶାହା ଗୁଜୁରାଟର ଗୃହମନ୍ତ୍ରୀ ଥିବା ସମୟରେ ସେଠାରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରି ବିଜେପି ଶାନ୍ତିଭଙ୍ଗ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତାଙ୍କ ନେତୃତ୍ୱରେ ପିସିସି ମୁଖପାତ୍ର ବିନାୟକ ଦାସ ମହାପାତ୍ର, ବିଦ୍ୟୁଲତା ଆଚାର୍ଯ୍ୟ, ଗୋପାଳଚନ୍ଦ୍ର ଖୁଂଟିଆ, କାହ୍ନୁଚରଣ ପ୍ରଧାନ, ଲଲାଟେନ୍ଦୁ ଦାସ, ସ୍ମୃତିରଞ୍ଜନ ପତି, ସ୍ୱାଧୀନ ପଣ୍ଡା, ଅମରେନ୍ଦ୍ର ପାଇକରାୟ, କାଳୀଚରଣ ନାୟକ, ଆଶୁତୋଷ ମିଶ୍ର, ଶେଖ୍ ଅଇନୁଲ ହକ୍, ବିଶ୍ୱନାଥ ଦାଶ ପ୍ରମୁଖ ଯୋଗଦେଇଥିଲେ ।