ଭୁବନେଶ୍ୱର– ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା
ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ପ୍ରଥମ ଥର ପାଇଁ ପୂର୍ବାଂଚଳ ରାଜ୍ୟସମୂହ ବୈଠକକୁ ଓଡିଶାର ଭୁବନେଶ୍ୱରରେ ଆୟୋଜନ କରି ପୂର୍ବଭାରତ ତଥା ଓଡିଶାର
ବିକାଶର କଥା ଚିନ୍ତା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତୀତରେ
ଅନେକ ସରକାର ଦିଲ୍ଲୀ ଦରବାରରେ ବସିଛନ୍ତି ମାତ୍ର ରାଜ୍ୟକୁ ଆସି କୌଣସି ସରକାର ବୈଠକ କରୁନଥିଲେ । କିନ୍ତୁ ଅମିତ
ଶାହାଙ୍କ ଦୂରଦୃଷ୍ଟି କାରଣରୁ ରାଜ୍ୟରେ ପୂର୍ବାଂଚଳ ରାଜ୍ୟସମୂହ ବୈଠକ ଅନୁÂିତ ହୋଇଛି। ଏହି ବୈଠକ କାରଣରୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ନିକଟରେ ସଠିକ୍ ଭାବରେ ଓଡିଶାର ଥିବା ଅପେକ୍ଷାକୁ ରଖିପାରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଫନୀରେ ବିଧ୍ୱଂସ୍ତ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ପ୍ରାକୃତିକ ଦୁର୍ବିପାକ
ଚିରସହଚର ଓଡିଶା ପାଇଁ ଐତିହାସିକ ସହାୟତା ଦେଇଛନ୍ତି ।
ଫନୀ ମହାବାତ୍ୟାର ଖବର ପାଇବା ମାତ୍ରେ ମୋଦି ସରକାର
ଓଡିଶା ସରକାରଙ୍କୁ ତ୍ୱରିତ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ
ଆସି ଫନୀ ସ୍ଥିତି ଅନୁଧ୍ୟାନ କରିବା ସହ ଓଡିଶାକୁ ୧ ହଜାର କୋଟି ଟଙ୍କାର ସହାୟତା ଅର୍ଥ ଘୋଷଣା କରିଥିଲେ ।
ଶେଷରେ ଚୂଡାନ୍ତ ସହାୟତା ପାଇଁ ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ଦେଇ ମୋଦି ସରକାର ମୋଟ ୪୬୭୮.୨୨
କୋଟି ଫନୀ ସହାୟତା ଦେଇଛନ୍ତି । ଅତୀତରେ ଓଡିଶାକୁ ଏତେମାତ୍ରାରେ ସହାୟତା କେବେ ମିଳିନଥିବା ବେଳେ
ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ବେଦନ ନେତୃତ୍ୱ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ
ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ,
ଉପକୂଳ କୋଷ୍ଟାଲ ହାଇୱେ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ୱୀକୃତି ଦେଇଛନ୍ତି ।
ତେବେ ମୋଦି ସରକାରଙ୍କ ବ୍ୟତିତ ଅନ୍ୟ କେଉଁ ସରକାର ଓଡିଶାକୁ ଏପରି ସୁଦୃଷ୍ଟିରେ ଦେଖିଥିଲେ ବୋଲି ସେ ପ୍ରଶ୍ନ
କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ଖାଦାନର ରାଜ୍ୟ ଓଡିଶାରେ ଆଦିବାସୀ ଲୋକଙ୍କର ସମ୍ପତିକୁ ଅତୀତରେ ଶିଳ୍ପପତି
ମାନଙ୍କୁ ଟେକି ଦିଆଯାଉଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୫ ମାଇନ୍ସ
ଆଣ୍ଡ ମିନେରାଲ୍ସ ଡେଭଲପମେଂଟ୍ ରେଗୁଲେସନ ଆକ୍ଟ(ଏମ୍ଏମ୍ଡିଆର) ନିୟମରେ ପରିବର୍ତନ କରାଗଲା । ନରେନ୍ଦ୍ର
ମୋଦିଙ୍କ ଏହି ନୀତି ସୁଧାର କାରଣରୁ ଓଡିଶା ବାର୍ଷିକ ୨୫ ହଜାର କୋଟି ଟଙ୍କା ରାଜସ୍ୱ ପାଇବାର ସମ୍ଭାବନା ଦେଖାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ଆୟୁଷ୍ମାନ ଭାରତ
ଯୋଜନା ଲାଗୁ କରିଛନ୍ତି । ନବରଙ୍ଗପୁର, କୋରାପୁଟ, କେନ୍ଦ୍ରାପଡାର ଗରିବ ଲୋକମାନେ ଏହି ଯୋଜନା ଅଧୀନରେ ୫
ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇବାରେ ବିବାଦ କେଉଁଠୁ ରହିଲା । ତେଣୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ
ଓଡିଶାରେ ଲାଗୁ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ
ଚେଷ୍ଟା ଜାରୀ ରହିଛି । ଓଡିଆ ଲୋକଙ୍କ ଆଶୀର୍ବାଦ କାରଣରୁ ୮ ଓଡିଆ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି
ରାଜ୍ୟରେ ପ୍ରଶାସନ ନିକଟରେ ଓଡିଆ ଲୋକଙ୍କ ଅଭିଯୋଗକୁ ଉପସ୍ଥାପନ କରିବା ପାଇଁ ବିଜେପି ବିରୋଧୀ ଦଳର ଭୂମିକା
ନେଇଛି ।
ଶ୍ରୀ ଶାହା ବାରମ୍ବାର ବୁଥ ମଜବୁତ୍ ହେଲେ ଦଳ ମଜବୁତ୍ ହେବ ବୋଲି କହୁଛନ୍ତି । ଆଗାମୀ ଦିନରେ ଓଡିଆ ଲୋକଙ୍କ ମନ
ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କଠୋର ପରିଶ୍ରମ କରିବ ଏବଂ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମନରେ ଥିବା
କଳ୍ପନାକୁ ସାକାର କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ସାଢେ ୪ କୋଟି
ଓଡିଆଙ୍କ ସ୍ୱାର୍ଥକୁ ପୂରଣ କରିବ ଏବଂ ଗାଁ ଗଣ୍ଡାରେ ରାଜନୈତିକ ଲଢେଇକୁ ଆହୁରି ସକ୍ରିୟ ଭାବେ ପାଳନ କରିବ ।
ଏଥିପାଇଁ ଆଜି ଦଳର କାର୍ଯ୍ୟକର୍ତାଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । +