ବ୍ରହ୍ମପୁର : ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଗୋଷ୍ଠୀ କେନ୍ଦ୍ରିକ କାର୍ଯ୍ୟକ୍ରମ ‘ଉଡାନ’ର ଉଦ୍ଯାପନୀ ଦିବସରେ ଚାଷୀ ଓ ବୈଜ୍ଞାନିକମାନେ ଏକତ୍ରିତ ହୋଇ ଜଳବାୟୁ ଉପଯୋଗୀ ନୂତନ କୃଷି ପ୍ରଣାଳୀ ଉପରେ ଆଲୋଚନା କରିଛନ୍ତି। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଉଡାନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଟାଟା ଷ୍ଟିଲର ଗୋପାଳପୁର ପ୍ରକଳ୍ପ କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏକତ୍ରିତ କରୁଛି, ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଯାତ୍ରାରେ ସେମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଫଳତାର କାହାଣୀ ଜଣାଇବା ସହିତ ବିପର୍ଯ୍ୟୟ ବିପଦ ହ୍ରାସ କରିବା ଦ୍ୱାରା ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ନିଜକୁ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳାରୁ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ଉଦ୍ୟାନ କୃଷି ପ୍ରୟୋଗ ଷ୍ଟେସନ୍ (ସିଏଚ୍ଇଏସ୍, ଭୁବନେଶ୍ୱର) ର ମୁଖ୍ୟ ଶ୍ରୀ ଜି ସି ଆଚାର୍ଯ୍ୟ ବୈଜ୍ଞାନିକ ପଦ୍ଧତିରେ ଫଳ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ସେ ଜଳବାୟୁ ପରିବର୍ତ୍ତନ ସହିତ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ଉପରେ ମତ ରଖିଥିଲେ। ଶ୍ରୀ ଅଚାର୍ଯ୍ୟ କହିଥିଲେ, “ ବନ ବିଜ୍ଞାନ, ଜଳବାୟୁ-ଉପଯୋଗୀ କୃଷି, ପରିବେଶ ପ୍ରଣାଳୀ ସେବା, କୃଷିର ସଂରକ୍ଷଣ ଓ ଅନ୍ୟ ଦୀର୍ଘସ୍ଥାୟୀ ପ୍ରୟୋଗର ପ୍ରସାର ପାଇଁ ଏକ ପ୍ରୋତ୍ସାହନ-ଆଧାରିତ ପ୍ରଣାଳୀର ଆବଶ୍ୟକତା ରହିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୂର୍ବରୁ ଶସ୍ୟ ଉତ୍ପାଦନରେ ନିଶ୍ଚିତ ହ୍ରାସ ଦେଖାଦେଇଛି । ଚାଷୀମାନଙ୍କ ଦକ୍ଷତା ବିକାଶ ବ୍ୟତୀତ ସିଏସ୍ଆର କାର୍ଯ୍ୟରେ ବୃଦ୍ଧି ଦ୍ୱାରା ଦୀର୍ଘସ୍ଥାୟୀ ଉତ୍ପାଦନ ସମ୍ଭବ ହେଉଥିବା କ୍ଷେତ୍ରରେ ଅଧିକ ଚାଷୀ ସାମିଲ ହୋଇପାରିବେ”। ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) ଭୁବନେଶ୍ୱରରୁ ଶ୍ରୀ ଏସ୍ ଆର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଗଞ୍ଜାମ ଜିଲ୍ଲା ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନେକ ସଫଳ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ସୁଶ୍ରୀ ମନ୍ଦାକିନୀ କର, ଓଡ଼ିଶା ରାଜ୍ୟ ମହିଳା ଆୟୋଗ ସଦସ୍ୟା ଶ୍ରୀମତି ସ୍ନେହାଞ୍ଜଳି ମହାନ୍ତି, ଟିଏସ୍ ଆଲୟେଜ ଲିମିଟେଡ଼ର ଚିଫ୍ (ପ୍ଲାଣ୍ଟ ଅପରେସନସ୍) ଶ୍ରୀ ବି. ଶ୍ରୀନିବାସ ଓ ଟାଟା ଷ୍ଟିଲ ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଫେବୃଆରୀ ୨୬ ତାରିଖରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଆର୍ଥିକ ରୂପେ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତି ପରିବାରର ୧୨୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ମେଧା ବୃତ୍ତି ପ୍ରଦାନ କରାଯାଇଥିଲା। ଏହାସହିତ ପାଶ୍ୱର୍ବର୍ତ୍ତୀ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ କିଶୋରୀମାନଙ୍କୁ ଏକତ୍ରିତ କରି ଜଳବାୟୁ ସମ୍ପର୍କିତ ମାମଲା ଉପରେ ଆଲୋଚନା କରାଯାଇଥିଲା।