ଝାରସୁଗୁଡା – ଝାରସୁଗୁଡା ବେଲପାହାଡସ୍ଥିତ ଗୁମାଡେରାରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ଆଜି ଅପରାହ୍ନରେ ବନ୍ଧୁକ ଦେଖାଇ ଦୁର୍ବୃତମାନେ ୧୪ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ବୁଧବାର ଅପରାହ୍ନ ୨ଟାରେ ୬ଜଣ ଦୁର୍ବୃତ ମୁଖାପିନ୍ଧି ଏକ ନମ୍ବର ବିହୀନ ସ୍କର୍ପିଓ ଗାଡ଼ିରେ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତମାନେ ଆକ୍ସିସ୍ ବ୍ୟାଙ୍କ୍ ଭିତରେ ପଶି ଯାଇଥିଲେ ଏବଂ ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରି ୧୪ଲକ୍ଷରୁ ଅଧିକ ଲୁଟିନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଦୁର୍ବୃତଙ୍କ ମାଡରେ ଆକ୍ସିସ୍ ବ୍ୟାଙ୍କ ମ୍ୟାନେଜର ମନୋଜ ଶର୍ମା ଆହତ ହୋଇଥିବା ଜଣାପଡ଼ିଛି । ଏଥିସହିତ ବ୍ୟାଙ୍କରେ ଥିବା ୩ଜଣ ଗ୍ରାହକଙ୍କ ମୋବାଇଲକୁ ଦୁର୍ବୃତ ଭାଙ୍ଗି ପକାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ସିସି ଟିଭି ର ହାଡ଼ଡିସ୍କ କୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି ।
ଲୁଟ୍ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଏସ୍ପି ଅଶ୍ୱିନୀ ମହାନ୍ତି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଲୁଟେରାମାନେ ହନ୍ଦୀ ଭାଷାରେ କଥା ହେଉଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ବେଲପାହାଡରୁ ଯାଉଥିବା ସବୁ ରାସ୍ତାକୁ ସିଲ୍ କରାଯାଇଛି । ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ସେ କହିଛନ୍ତି ।